ପୋଖରୀରେ ବୁଡି ମହିଳା ମୃତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ତେନ୍ତୁଳିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ପୋଖରୀରେ ମୃତଦେହ ଉଦ୍ଧାର କରିବା ପରେ ରାମଗିରି ପୁଲିସକୁ ହସ୍ତାନ୍ତର କରିଥିଲେ। ସୂଚନା ଅନୁଯାୟୀ, ତେନ୍ତୁଳିପଦର ଗ୍ରାମର ସମାଲ ମାଠପଡିଆ (୩୬) ଆଜି ଅପରାହ୍ନ ଦୁଇଟା ବେଳେ ନିଜ ଦୁଇଟି ଝିଅ ସହିତ ଗ୍ରାମ ପୋଖରୀକୁ ଲୁଗା ସଫା କରିବା ସହ ଗାଧୋଇବା ପାଇଁ ଯାଇଥିଲେ।

ଦୁଇ ଝିଅ ପୋଖରୀ ହୁଡ଼ାରେ ବସିଥିବା ବେଳେ ମାଁ ସମାଲ ଲୁଗା ସଫା କରିବା ପରେ ଗାଧୋଇବା ପାଇଁ ପୋଖରୀ ଭିତରକୁ ଓହ୍ଲେଇ ଥିଲେ। ତେବେ ବହୁତ ସମୟ ଧରି ବାହାରକୁ ମାଁ ସମାଲ ନବାହାରିବାରୁ ଦୁଇ ଝିଅ ବୁଡି ଯାଇଥିବା ସନ୍ଦେହ କରି ତାଙ୍କ ବଡବାପାଙ୍କ ପାଖକୁ ଯାଇ ବୁଡି ଯାଇଥିବା ବିଷୟରେ କହିଥିଲେ। ବଡବାପା ଏବଂ ପଡୋଶୀ ତୁରନ୍ତ ରାମଗିରି ଥାନାରେ ଜଣେଇବା ସହ ବୈପାରିଗୁଡା ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଓଆଇସି ଏସ୍.କେ. ପ୍ରଧାନ, ଗାଡ଼ି ଚାଳକ ଅଚ୍ୟୁତ ଓରାମ, ଆଗ୍ନିକ ଜି. ହିକିମି, ବି. ସାହୁ, ଏସ୍. ନାୟକ ତେନ୍ତୁଳିପଦର ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଶେଷରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପାଇଁ ବୈପାରିଗୁଡା ଡାକ୍ତରଖାନାରେ ପହଞ୍ଚାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର