ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଚାଳକ ଅଟକ

ବାଲିଅନ୍ତା: ଭୁବନେଶ୍ବର-କଟକ ଜାତୀୟ ରାଜପଥର ଲକ୍ଷେଶ୍ବର ମନ୍ଦିର ନିକଟରେ ଆଜି ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ସ୍ବର୍ଣ୍ଣମୟୀ ପରିଡ଼ା (୩୮) । ଏସଂପର୍କରେ ଖବର ପାଇ ପାହଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେବ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ଶବ ବ୍ୟବଚ୍ଛେଦ କରାଇ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ବିହାରର ବେପରୁଆ ଟ୍ରକ ଚାଳକ ଦୀପକ ସିଂହ (୧୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ବର୍ଣ୍ଣମୟୀ ପାହାଳ ଫାଣ୍ଡି ଅଞ୍ଚଳରେ ଘରଭଡ଼ା ନେଇ ରୁହନ୍ତି । ଆଜି ସକାଳ ପ୍ରାୟ ୯ଟା ସମୟରେ ସ୍ବର୍ଣ୍ଣମୟୀ ହାତରେ ଫୁଲଚାଙ୍ଗୁଡ଼ି ଧରି ଲକ୍ଷେଶ୍ବର ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଭୁବ‌େନେଶ୍ବର ଅଭିମୁଖେ ଯାଉଥିବା ଉକ୍ତ ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଦିଅଁ ଦର୍ଶନ ପୂର୍ବରୁ  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥି‌ଲା ।

ସମ୍ବନ୍ଧିତ ଖବର