ଟିପ୍ପର ଧକ୍କାରେ ମହିଳା ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଗରୁଡ଼ଗୁଡ଼ା ନିକଟ ଗଲିଆଗୁଡ଼ା ଠାରେ ଏକ ଟିପ୍ପର ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଏମ ଗୁମଣ୍ଡଳି ଗ୍ରାମର ମୁଞ୍ଜି ଲହରା( ୪୫) ବୋଲି ଜଣାପଡିଛି। ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟିପ୍ପର ଗାଡ଼ିକୁ ମଧ୍ୟ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ହର୍ଦଳି ଗ୍ରାମର ଚିଙ୍ଗୁଡୁ ଲହରା ଓ ତା ସ୍ତ୍ରୀ ତୁଳବତି ଏକ ବାଇକ୍ ନ (ଓଡ଼ି ୧୦ ଏ ୭୭୧୬) ଯୋଗେ ଡାବୁଗାଁ ଥାନା ଅନ୍ତର୍ଗତ ରାଉଳିଗୁଡ଼ାକୁ ସମ୍ପର୍କୀୟଙ୍କ ଘରେ ଏକ ଦଶାହ କାର୍ଯ୍ୟରେ ଆଜି ସକାଳେ ଯୋଗ ଦେବାକୁ ଆସିଥିଲେ। ଦଶାହ କାର୍ଯ୍ୟ ପରେ ପୁଣି ସେମାନେ ଅପରାହ୍ନ ୫ ଘଣ୍ଟ ସମୟରେ ନିଜ ଗ୍ରାମ ହର୍ଦଳି ଯିବାକୁ ବାହାରି ଥିଲେ।

ତେବେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା କୋଷାଗୁମୁଡ଼ା ଥାନା ଏମ ଗୁମୁଣ୍ଡଳି ଗ୍ରାମର ମୁଞ୍ଜି ଲହରା (୪୫) ଚିଙ୍ଗୁଡୁ କଲାରକୁ ବାଇକ୍ ରେ ଲିଫ୍ଟ ଦେବାକୁ କହିଥିଲେ। ଚିଙ୍ଗୁଡୁ କଲାର ତା ବାଇକରେ ମୁଞ୍ଜି ଲହରା ଓ ସ୍ତ୍ରୀ ତୁଳାବତିକୁ ବସାଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ସମୟରେ ଅପରାହ୍ନ ପ୍ରାୟ ସାଢେ଼ ୫ ଘଣ୍ଟ ସମୟରେ ଗରୁଡ଼ଗୁଡ଼ା ନିକଟ ଗଲିଆଗୁଡ଼ା ଅଣଓସାରିଆ ରାସ୍ତା ନିକଟରେ ସମ୍ମୁଖ ପଟରୁ ଆସୁଥିବା ଏକ ବଜରି ବୋଝେଇ ଟିପ୍ପର ନ (ଓଡ଼ି ୨୪ ଇ ୭୦୮୦) ସହ ଧକ୍କା ହୋଇଥିଲା।ଏଥିରେ ବାଇକ୍ ରେ ବସିଥିବା ତିନି ଜଣ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ଦୁର୍ଭାଗ୍ୟ ପୂର୍ଣ୍ଣ ଭାବେ ବାଇକର ପଛ ଭାଗରେ ବସିଥିବା ମୁଞ୍ଜି ଲହରା ଟିପ୍ପର ବୋଝେଇ ଗାଡ଼ିର ଚକ ତଳେ ପଡି ଯାଇଥିଲା। ଘଟଣାସ୍ଥଳରେ ହିଁ ମୁଞ୍ଜି ଲହରାର ମୃତ୍ୟୁ ଘଟିଥିଲା। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ଯାଇ ଉଭୟ ଦୁର୍ଘଟଣାଗ୍ରସ୍ତ ଟିପ୍ପର ଗାଡ଼ି ଓ ବାଇକ୍ ଜବତ କରିଥିଲେ। ମୃତ ମୁଞ୍ଜି ଲହରାର ଶବକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଣାଯାଇଥିଲା। ଖବର ଲେଖା ସୁଦ୍ଧା ମୃତ ମୁଞ୍ଜି ଲହରାର ଦୁଇ ପୁଅ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ଆସନ୍ତାକାଲି ଶବ  ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି। ଡାବୁଗାଁ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର