କଣ୍ଟାମାଳ: ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ଗୁଦୁଗୁଦା ପୋଲ ନିକଟରେ ଶନିବାର ଏକ କାର୍‌ ଧକ୍କାରେ ନୂଆଦେଇ କୁମ୍ଭାର (୪୭ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ନୂଆଦେଇଙ୍କ ସ୍ବାମୀ ସଚିନ୍ଦ୍ର କୁମ୍ଭାର (୫୦ବର୍ଷ) ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ୫ ଘଣ୍ଟା ପରେ ଦାବି ପୂରଣ ହେବାରୁ ରରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment

ପ୍ରକାଶ ଯେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଲିଆପାଲି ପଞ୍ଚାୟତ ପୁଡୁଗପଥର ଗାଁର ସଚିନ୍ଦ୍ର ଓ ତାଙ୍କ ସ୍ତ୍ରୀ ନୂଆଦେଇ ଏକ ସାଇକେଲ ଯୋଗେ ସୋମବାର ଦହ୍ୟା ବଜାରରୁ ଘରକୁ ଫେରୁଥିଲେ। ଅପରାହ୍ଣ ୩ଟା ସମୟରେ ମନମୁଣ୍ଡାରୁ ବୌଦ୍ଧ ପଟକୁ ଯାଉଥିବା କାର୍‌ (ଓଆର୍‌ ୦୨ ବିଏଚ୍‌ ୮୧୪୫) ତାଙ୍କ ସାଇକଲକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନୂଆଦେଇଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବାଉଁଶୁଣୀ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ସଚିନ୍ଦ୍ରଙ୍କୁ ଚିକିତ୍ସା ପାଇଁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ଦହ୍ୟା ଆର୍‌ଆଇ ଦିଲୀପ ପାଣିଗ୍ରାହୀ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  କହ୍ନେଇ ଚରଣ ଡାଙ୍ଗ ଓ ବିଜେଡି ନେତା ବାଳମୁକୁନ୍ଦ ମେହେର ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌ର ମଲିକଙ୍କ ସହିତ କଥା ହୋଇ ମୃତକଙ୍କ ପରିବାର ବର୍ଗଙ୍କୁ ୭୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା। ୫ ଘଣ୍ଟା ପରେ ରାତି ସାଢେ ୮ଟାରେ ରାଜପଥ ଅବରୋଧ ହଟିଥିଲା।