ଜୟପୁର: ଆଜି ସକାଳ ୧୧ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ବାରିଣୀପୁଟର ବିବାହିତ ମହିଳା ତୁଳସା ପରଜା ବିଷପାନ କରି ଗୁରୁତର ଅବସ୍ଥାରେ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ବିଷ ପିଇ ମରିବାକୁ ବାଧ୍ୟ କରିବାରୁ ସେ ଏଭଳି କରିଥିବା ଅଭିଯୋଗ କରି ତୁଳସାଙ୍କ ମା’ ଗୁରୁବାରୀ ପରଜା ଜୟପୁର ସଦରଥାନାରେ ଏତଲା ଦେଇଛନ୍ତି। ଝିଅର ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ବୁଦୁରା ରଣା ଓ ତାଙ୍କ ପରିବାରବର୍ଗ ଦାୟୀ। ଏମାନେ ତାଙ୍କ ଝିଅକୁ ମାନସିକ, ଶାରୀରିକ ନିର୍ଯାତନା ଦେବା ସହ ଅତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବୋଲି ଏତଲା ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଥାନା ଅଧିକାରୀ ରମଣୀ ରଂଜନ ଦଳାଇ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ବର୍ଷକ ତଳେ ଜୟପୁର ବ୍ଲକର ପଦ୍ମପୁର ନିକଟସ୍ଥ ସରାଗୁଡା ଗାଁର ତୁଳସା ପରଜାଙ୍କୁ ଢ଼େପଗୁଡା ଗାଁର ବୁଦୁରା ରଣା ପ୍ରେମ ବିବାହ କରିଥିଲେ। ତୁଳସାଙ୍କୁ ବାରିଣୀପୁଟରେ ଆଣି ଘର ଭଡା କରି ନେଇ ରଖିଥିଲେ। ଉଭୟ ଭଲଭାବେ ରହୁଥିଲେ। ଗତ ୧୫ଓ ୧୬ତାରିଖ ଦୁଇ ଦିନ ଧରି ଉଭୟଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ୧୭ତାରିଖ ଦିନ ତୁଳସା ବିଷପାନ କରିଦେଇଥିଲେ। ଗୁରୁତର ଅବସ୍ଥାରେ ତୁଳସାକୁ ପ୍ରଥମେ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତ୍ତି କରାଯାଇଥିଲା। ଏଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶନିବାର ସକାଳ ୧୧ଟା ବେଳେ ତୁଳସାର ମୃତ୍ୟୁ ହୋଇଥିଲେ।
ମୃତ୍ୟୁ ପରେ ତୁଳସାର ମା’ଗୁରୁବାରୀ ତାଙ୍କ ଝିଅକୁ ତାଙ୍କ ସ୍ବାମୀବୁଦୁରା ଓ ପରିବାରବର୍ଗ ହିଁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଜୟପୁର ସଦରଥାନାରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ସ୍ବାମୀ ବୁଦୁରା ଓତାଙ୍କ ପରିବାରବର୍ଗ ଏଥିରେ ସାମିଲ ରହିଥିବାକୁ ନେଇ ଗୁରୁବାରୀ ଅଭିଯୋଗ କରିଥିଲେ। ଗୁରୁବାରୀର ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ସବଇନିସପେକ୍ଟର ଶିରୀଶ ମହାପାତ୍ର, ବାରିଣୀପୁଟ ପାଣ୍ଡି ଅଧିକାରୀ କାମକ୍ଷା ପ୍ରସାଦ ବିଷୋଇ କରିବା ସହ ଆଇପିସିର ଦଫା ୪୯୮, ୩୦୬ ଓ ୩୪ରେ ମାମଲା ରୁଜୁ କରିଛନ୍ତି। କୋରାପୁଟ ମେଡିକାଲ କଲେଜରେ ଶବର ପଂଚନାମା କରି ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସ୍ବାମୀ ଓ ପରିବାରବର୍ଗକୁ ଅଟକ ରଖି ପଚାରାଉଚାରା ଜାରୀ ରହିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ।