ସୋରଡ଼ା: ସକାଳୁ ବୁଲିବା ସମୟରେ ଆସିବା ମହିଳାଙ୍କ ପାଇଁ କାଳ ପାଲଟିଛି। ସକାଳୁ ବୁଲୁଥିବା ବେଳେ ପଛରୁ ଏକ ପିକ୍‌ଅପ ବୋଲେରୋ ଧକ୍କା ଦେବାରୁ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋରଡ଼ା ପାଇକସାହିର ପ୍ରମିଳା ଗୌଡ଼(୪୨)। ଆଜି ସକାଳୁ ସକାଳୁ ଏପରି ଏକ ଘଟଣା ସୋରଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରମିଳା ତାଙ୍କର କିଛି ମହିଳା ସାଥିଙ୍କ ସହ ଆଜି ସକାଳୁ ମର୍ଣ୍ଣିଓ୍ବାକ୍‌ରେ ବାହାରିଥିଲେ। ସ୍ଥାନୀୟ ବିନ୍ଦାସ ହୋଟେଲ୍ ଛକ ନିକଟରେ ଯାଉଥିବା ବେଳେ ଆସ୍କାରୁ ସୋରଡ଼ା ଆସୁଥିବା ଏକ ପିକ୍‌ଅପ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ଛିଟିକି ପଡ଼ିଥିଲେ। ପିକ୍‌ଅପ ଚାଳକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତ କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଗାଡ଼ିକୁ ଥାନାକୁ ଆଣି ଚାଳକକୁ ପଚରାଉଚରା ଜାରି ରଖିଛି।