ତାମିଲନାଡୁର ସୂତାକଳରେ ଜଳିଗଲେ ଓଡ଼ିଆ ମହିଳା ଶ୍ରମିକ, ସୁନା ବନ୍ଧକ ରଖି ଟଙ୍କା ପଠାଇବା ପରେ ଗାଁକୁ ଆସୁଛି ମୃତଦେହ 

ସରକାରୀ ମେଡ଼ିକାଲରେ ଭର୍ତ୍ତି କରି ଦାୟିତ୍ବ ସାରିଦେଲା କମ୍ପାନି

ରାୟଗଡ଼ା: ଦାଦନ ଖଟିବାକୁ ଯାଇ ପୁଣି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଘଟଣା ଘଟିଛି ତାମିଲନାଡ଼ୁ ରାଜ୍ୟ ତ୍ରିପୁର ଜିଲ୍ଲା ଭେଲମପାଲାୟମ୍ ଅଞ୍ଚଳରେ ଥିବା ଏକ ସୂତାକଳରେ। ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ମହିଳା ଶ୍ରମିକଙ୍କ ନାମ ଲକ୍ଷ୍ମୀ ମାଣ୍ଡାଙ୍ଗି (୨୯)। ଘର ରାୟଗଡ଼ା ସଦର ବ୍ଲକର ପିପଳଗୁଡ଼ା ଗାଁର ମଝିସାହିରେ। ଶନିବାର ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ପଠାଇବା ନେଇ କମ୍ପାନି କର୍ତ୍ତୃପକ୍ଷ କୌଣସି ସହଯୋଗ କରିନଥିଲେ। ଫଳରେ ପରିବାର ଲୋକ ସୁନା ବନ୍ଧକ ରଖି ଟଙ୍କା ପଠାଇବା ପରେ ସହଯୋଗୀ ଶ୍ରମିକ ଲକ୍ଷ୍ମୀଙ୍କ ମୃତଦେହ ନେଇ ଗାଁ ଅଭିମୁଖେ ଆସୁଛନ୍ତି।

ନଭେମ୍ବର ମାସରେ ପିପଳଗୁଡା ଗ୍ରାମର ପାତ୍ର ମାଣ୍ଡାଙ୍ଗିଙ୍କ ଝିଅ ଲକ୍ଷ୍ମୀ ସହଯୋଗୀ ଶ୍ରମିକ ଗିରିଧର ପୁଆଲାଙ୍କ ସହ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ। ତାମିଲନାଡ଼ୁର କୁନ୍ତୁରରେ ଥିବା ମଞ୍ଚେଷ୍ଟର ଟେକ୍ସଟାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସୂତାକଳରେ ଲକ୍ଷ୍ମୀ ଶ୍ରମିକ ଭାବେ କାମ କରୁଥିଲେ। ଜାନୁଆରୀ ୨୫ ତାରିଖରେ ଲକ୍ଷ୍ମୀ କାମ କରୁଥିବା ଅସାବଧାନତାବଶତଃ ନିଆଁ ଲାଗି ଯିବା ଯୋଗୁ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଲକ୍ଷ୍ମୀଙ୍କୁ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସାଥୀ ଶ୍ରମିକ ଗିରିଧର ପୁଆଲା କମ୍ପାନି କର୍ତ୍ତୃପକ୍ଷଙ୍କୁ ଏ ନେଇ ବହୁ ନିବେଦନ କରିଥିଲେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ସହଯୋଗ କରିନଥିଲେ। ଫଳରେ ଚିକିତ୍ସା ଅଭାବରୁ ଶନିବାର ପୂର୍ବାହଣରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସା ସହଯୋଗ କରିନଥିବା କମ୍ପାନି କର୍ତ୍ତୃପକ୍ଷ ଲକ୍ଷ୍ମୀଙ୍କ ମୃତଦେହକୁ ଗାଡ଼ି କରି ଗାଁକୁ ପଠାଇବା ଦିଗରେ ମଧ୍ୟରେ ମନା କରି ଦେଇଥିଲେ।

ମୃତଦେହ ଆଣିବା ପାଇଁ ୩୦ ହଜାରରୁ ଉର୍ଧ୍ବ ଟଙ୍କା ଖର୍ଚ୍ଚ ହେବା ଜାଣିବା ପରେ ସାଥୀ ଶ୍ରମିକ ଗିରିଧର ଏ ନେଇ ଲକ୍ଷ୍ମୀଙ୍କ ପରିବାରକୁ ଅବଗତ କରିଥିଲେ। ଲକ୍ଷ୍ମୀଙ୍କ ବାପା ପାତ୍ର ମାଣ୍ଡାଙ୍ଗି ଗରିବ ପରିବାରର ହୋଇଥିବା ବେଳେ ପାଖରେ ଏତେ ଟଙ୍କା ନଥିବାରୁ ଘରେ ଥିବା ସୁନା ବନ୍ଧକ ରଖିବା ସହ ଧାର, କରଜ କରି ଆଜି ୩୦ ହଜାର ଟଙ୍କା ପଠାଇଛନ୍ତି। ସାଥୀ ଶ୍ରମିକ ଟଙ୍କା ପାଇବା ପରେ ଏକ ଗାଡ଼ି ସାହାର୍ଯ୍ୟରେ ଲକ୍ଷ୍ମୀଙ୍କ ମୃତଦେହ ଗାଁ ଅଭିମୁଖେ ନେଇ ଆସୁଛନ୍ତି। ଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଗାଁରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଗରିବ ପରିବାରକୁ ସାହାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି। ଓଡ଼ିଶାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବିଭିନ୍ନ ସମୟରେ କମ୍ପାନି କର୍ତ୍ତୃପକ୍ଷଙ୍କ ଶୋଷଣର ଶିକାର ହେଉଥିବା ବେଳେ ଅଘଟଣ ଘଟିଲେ ସାହାର୍ଯ୍ୟ ନ କରିବା ଘଟଣାକୁ ଶ୍ରମିକ ନେତା ଅରୁଣ ଲେଙ୍କା ନିନ୍ଦା କରିଛନ୍ତି। ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀ ଲେଙ୍କା ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର