ଆସିଲାନି ୧୦୨ ଆମ୍ବୁଲାନ୍‌ସ, ଅଟୋରେ ଶିଶୁ ଜନ୍ମ କଲେ ଗର୍ଭବତୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ଭାଲୁଗୁଡ଼ା ଗ୍ରାମର ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ପରେ ଆଜି ସକାଳେ ୧୦୨ ଆମ୍ବୁଲାନ୍‌ସକୁ ବାରମ୍ବାର ଫୋନ କରିବା ପରେ ମଧ୍ୟ ଆମ୍ବୁଲାନ୍‌ସ ନ ଆସିବାରୁ ବାଧ୍ୟ ହୋଇ ଏକ ଅଟୋ ଗାଡ଼ିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ବାଟରେ ଗର୍ଭବତୀ ଜଣକ ଅଟୋରେ ଶିଶୁକୁ ପ୍ରସବ କରିଥିଲେ। ତେବେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ସୁଦ୍ଧା ତାହା ଏଠାରେ ଆଜି ଫେଲ୍‌ ମାରିଛି।

ଡାବୁଗାଁ ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ଧାରିନିଯୋଡି ଗ୍ରାମ ନିକଟ ଭାଲୁଗୁଡ଼ା ଗ୍ରାମର ରୁକ୍ମଣୀ ଗୌଡ ୨୩କୁ ଆଜି ସକାଳ ୬ଟାରେ ପ୍ରସବ ବେଦନା ହୋଇଥିଲା। ରୁକ୍ମଣୀର ସ୍ୱାମୀ ଚନ୍ଦ୍ର ଗୌଡ ଓ ବଦଳିଗୁଡ଼ା ଗ୍ରାମର ଆଶାଦିଦି ତୁରନ୍ତ ୧୦୨ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଡାବୁଗାଁର ଆମ୍ବୁଲାନ୍‌ସ ଖରାପ ଥିବା ଯୋଗୁ ନିକଟ ପାପଡ଼ାହାଣ୍ଡିର ୧୦୨କୁ ଯୋଗାଯୋଗ କରିଥିଲେ। ସେଠାରେ ମଧ୍ୟ ଆମ୍ବୁଲାନ୍‌ସ ଖରାପ ଥିବା ଜଣାପଡ଼ିଥିଲା। ଏପଟେ ରୁକ୍ମଣୀର ପ୍ରସବ ବେଦନା ଅତ୍ୟଧିକ ବଢ଼ିବାରେ ଲାଗିଥିଲା। ଶେଷରେ ମଇଦଲପୁର ଆମ୍ବୁଲାନ୍‌ସ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ ସୁଦ୍ଧା କାଦୁଅ ରାସ୍ତା ଅଳ୍ପ ବିଳମ୍ବରେ ଆମ୍ବୁଲାନ୍‌ସ ପହଞ୍ଚିବ ବୋଲି କହିବା ପରେ ବାଧ୍ୟ ହୋଇ ରୁକ୍ମଣୀର ସ୍ୱାମୀ ଏକ ଅଟୋ ସହାୟତାରେ ଆଶାଦିଦି ସାଥିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମୟରେ ତାଙ୍କ ଗ୍ରାମ ଭାଲୁଗୁଡ଼ା ଠାରୁ ତିନି କିମି ଦୂର ବଦଳିଗୁଡ଼ା ଠାରେ ଅଟୋ ଭିତରେ ଅସୁରକ୍ଷିତ ଅବସ୍ଥାରେ ରୁକ୍ମଣୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲା।

ସେହି ଅଟୋରେ ଜନ୍ମ ନେଇଥିବା ଶିଶୁ କନ୍ୟାକୁ ବିପଦ ସଂକୁଳ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇ ଭର୍ତି କରାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ କନ୍ୟା ସୁସ୍ଥ ରହିଥିବା ଜଣାପଡିଛି। ଅନୁନ୍ନତ ଅଞ୍ଚଳରେ ଜନନୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଜନନୀ ସୁରକ୍ଷା ଗାଡ଼ି ଯୋଗାଇ ଦେଇଥିଲେ ସୁଦ୍ଧା ଉପଯୁକ୍ତ ସମୟରେ ଗାଡ଼ି ନ ପହଞ୍ଚିବା ଦ୍ୱାରା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାଟବଣା ହେଉଛି।

ସମ୍ବନ୍ଧିତ ଖବର