ଶସ୍ତାରେ ସୁନା କିଣିବା ମହଙ୍ଗା ପଡ଼ିଲା, ମହରଗରୁ ଯାଇ କାନ୍ତାରରେ ପଡ଼ିଲେ ମହିଳା

୯ଶହ ଗ୍ରାମ ନକଲି ସୁନା ପାଇଁ ଗଣିଲେ ଅଢ଼େଇ ଲକ୍ଷ

ବାରିପଦା : ଅଳ୍ପ ଟଙ୍କାରେ ସୁନା କିଣିବା ଲୋଭ ବାରିପଦା ଟାଉନ୍‌ ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ମହଙ୍ଗା ପଡ଼ିଛି। ପ୍ରାୟ ୯ଶହ ଗ୍ରାମର ନକଲି ସୁନା ପାଇଁ ଉକ୍ତ ମହିଳା ଅଢ଼େଇ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଠକାମୀର ଶିକାର ହୋଇଥିବା ବାରିପଦା ପୌରପାଳିକା ଅନ୍ତର୍ଗତ ଭଞ୍ଜପୁର ଅଞ୍ଚଳର ଏହି ମହିଳାଙ୍କ ନିକଟକୁ ଗତକାଲି ପାଣି ପାଇପ୍‌ କାମ କରୁଥିବା ଏକ ଦମ୍ପତ୍ତି ଆସିଥିଲେ। ସେମାନଙ୍କ ପାଖରେ ଏକ ସୁନା ହାର ଥିବା ଏବଂ ତାକୁ ବିକିବାକୁ ଚାହୁଁଥିବା ମହିଳାଙ୍କୁ କହିଥିଲେ। ତେବେ ଉକ୍ତ ସୁନା ହାର ବହୁତ ମହଙ୍ଗା ହୋଇଥିବାରୁ ତାଙ୍କୁ କେହି ବିଶ୍ବାସ କରିବେ ନାହିଁ ବୋଲି ମହିଳାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ଉକ୍ତ ଠକ ଦମ୍ପତ୍ତି। ତେବେ ପ୍ରଥମେ ଉକ୍ତ ହାରରୁ ଖଣ୍ଡେ ସୁନା ଅସଲି ପରୀକ୍ଷା ପାଇଁ ମହିଳାଙ୍କୁ ଦେଇଥିଲେ। ତାହା ଅସଲି ଥିବାରୁ ପୁରା ହାର ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦର ଛିଡ଼ିଥିଲା। ଏନେଇ ଉକ୍ତ ମହିଳା ଜଣଙ୍କ ଠକ ଦମ୍ପତ୍ତିଙ୍କୁ ମଧୁବନ ମାଛ ମାର୍କେଟ୍‌ ସାମ୍ନାରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରିଥିବା ପୁଲିସ୍‌ ଥାନାରେ ଅଭିଯୋଗ ହୋଇଛି। ଏପରିକି ଉପରୋକ୍ତ ଟଙ୍କା ଦେଲାବେଳେ ମଧ୍ୟ ମହିଳାଜଣଙ୍କ ହାରଟିକୁ ପରୀକ୍ଷା କରିଥିଲେ। ଯାହାକି ଅସଲି ବାହାରିଥିଲା । ମାତ୍ର ଘରକୁ ନେବା ପରେ ତାହା ନକଲି ବୋଲି ଜଣାପଡ଼ିବା ପରେ ହରଡ଼ଘଣାରେ ପଡ଼ିଥିଲେ ମହିଳା । ଏହା ପରେ ଉକ୍ତ ଠକ ଦମ୍ପତ୍ତିଙ୍କ ଫୋନ୍‌ ଲାଗିନଥିଲା। ବାଧ୍ୟହୋଇ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ମାତ୍ର ଜନସାଧାରଣ ଏପରି ଠକମାନଙ୍କ କବଳରୁ ସତର୍କ ରହିବା ଉଚିତ୍‌। କମ୍‌ ମୂଲ୍ୟରେ ସୁନା ଭଳି ଅନ୍ୟାନ୍ୟ ଦାମୀ ଜିନିଷ ବିକ୍ରି କରିବାକୁ କହୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି।

ସମ୍ବନ୍ଧିତ ଖବର