ତୁରୀନଦୀ ପୋଲ ଉପର ଦେଇ ବନ୍ୟାପାଣି ପ୍ରବାହିତ, ଭାସି ଗଲେ ମହିଳା

ପାପଡାହାଣ୍ଡି/ଝରିଗାଁ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରେ ଦେଖାଦେଇଛି ବନ୍ୟା ବିଭୀଷିକା। ପାପଡାହାଣ୍ଡି ଗାଁକୁ ଲାଗି ରହିଥିବା ତୁରୀ ନଦୀ ପୋଲ ଉପର ଦେଇ ଦୁଇ ଫୁଟ ର ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ପାପଡାହାଣ୍ଡି-ଉମରକୋଟ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ କାଲି ରାତି ଠାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ବର୍ଷା ଲାଗିରହିଥିଲା। ଯାହା ଫଳରେ ଦିନ ପ୍ରାୟ ୧୦ ଟା ବେଳକୁ ତୁରୀ ନଦୀ ରେ ବନ୍ୟା ପାଣି କୂଳ ଖାଇ ପ୍ରବାହିତ ହେବା ସହ ତୁରୀ ନଦୀ ପୋଲ ଉପର ଦେଇ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହୋଇଥିଲା। ୧୦ ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ପୋଲ ଉପର ଦେଇ ବନ୍ୟା ପାଣି ପ୍ରବାହିତ ହୋଇଥିବାରୁ ପାପଡାହାଣ୍ଡି-ଉମରକୋଟ ଯୋଗାଯୋଗ ବିଛିନ୍ନ ହୋଇଛି।

ରାସ୍ତାର ଉଭୟ ପାର୍ଶରେ ଉମରକୋଟ ଠୁ ନବରଙ୍ଗପୁର ମୁଖ୍ୟାଳୟ ଓ କଳାହାଣ୍ଡି ଜିଲ୍ଲା ରୁ ଉମରକୋଟ ଆଭିମୁଖେ ଯାଆସ କରୁଥିବା ଗାଡି ଗୁଡିକ ଅଟକି ରହିଥିଲା। ଏହାସହ ଜିଲ୍ଲାର ଡାବୁଗାଁ, ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକ ସହ ଉକ୍ତ ରାଜ୍ୟ ରାଜପଥ ଦେଇ ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି। ଆଜି ଏହି ତୁରୀ ନଦୀ କୂଳରେ ୫୦୦ ଜଣ ବୋଲ ବମ ଯାତ୍ରୀ ଅଟକି ରହିଛନ୍ତି। ପାପଡାହାଣ୍ଡି ପୁଲିସ ନଦୀ କୂଳରେ ଜଗି ରହି ପୋଲ ଦେଇ ଯାନବାହାନ ଚଳାଚଳକୁ ବାରଣ କରିଥିଲେ। ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଅନେକ ଚାଷ ଜମିରେ ପାଣି ଜମି ରହିଛି ଯାହାଦ୍ୱାରା ଚାଷ ଜମି ରେ ବାଲିଚର ସୃଷ୍ଟି ହୋଇ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୭ ଘଣ୍ଟା ସମୟରେ ବନ୍ୟଜଳ ପୋଲ ରୁ କମିଥିଲା। ଏହା ପରେ ପୁଲିସ ପୋଲ ନିକଟରେ ଜଗିରହି ଲୋକ ଚାଲି ଯିବା ପାଇଁ ଅନୁମତି ଦେଇଥିଲେ। ଖବର ଲେଖିବା ସୁଦ୍ଧା ଗାଡି ମୋଟର ଯାତାୟାତ କୁ ଅନୁମତି ଦିଆଯାଇନଥିଲା। ଉମରକୋଟ ରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା କିଛି ଗାଡି ଗୁଡିକ ଡାବୁଗାଁ-କୋଡିଗାଁ ଓ ଜଟାବାଲ-କୋଡିଗାଁ ଦେଇ ନବରଙ୍ଗପୁର କୁ ପହଞ୍ଚିଥିବା ଜଣାପଡିଛି।

ସେହିପରି ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାନ୍ଦଲି ଠାରୁ ଗୁମିଧରା ରାସ୍ତାରେ ରହିଥିବା ନାଳ ରେ ଥିବା ପୋଲ ଉପେରେ ପ୍ରାୟ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରଭାହିତ ହେବା ଯୋଗୁଁ ସକାଳ ୮ଘଣ୍ଟା ରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାନ୍ଦିଲି-ଗୁମିଧରା ରାସ୍ତା ବନ୍ଦ ରହିଥିଲା । ପାପଡାହାଣ୍ଡି ବ୍ଲକ ବାବାଜୀଗୁଡା ଠାରୁ ଚନ୍ଦ୍ରପୁର ନାଳ ରେ ରହିଥିବା ପୋଲ ଉପେରେ ୫ ଫୁଟ ର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ସକାଳୁ ୮ ଟା ରୁ ୧୨ ପର୍ଯ୍ୟନ୍ତ ବାବାଜିଗୁଡା-ଚନ୍ଦ୍ରପୁର ଗମନା ଗମନ ବନ୍ଦ ରହିଗଲା। ଏଥି ଯୋଗୁଁ ଗ୍ରାମବାସୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା।

ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ବାଇଶିବନ୍ଧା ଗ୍ରାମର ପିତାମ୍ବର ସାହିର ଜଣେ ମହିଳା ଗ୍ରାମ ନିକଟସ୍ଥ ନଦୀରେ ଭାସି ଯାଇଥିବା ସୂଚନା ମିଳିଛି। ଗତକାଲି ପ୍ରାୟ ୨ଘଣ୍ଟାର ସମୟରେ ପିତାମ୍ବରସାହିର  ମହିଳା ପ୍ରତିମା ସନ୍ତା (୩୬)ଗ୍ରାମ ନିକଟସ୍ଥ ବାଇଶିବନ୍ଧା ନଦୀ ପାର ହୋଇ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେ କାଠ ସଂଗ୍ରହ କରି ସନ୍ଧ୍ୟାରେ ଫେରିବା ବେଳେ ବର୍ଷା ଯୋଗୁଁ ନଦୀରେ ପାଣି ଅଧିକ ଥିବାରୁ ପାଣିରେ ଭାସି ଯାଇଥିଲେ। ତେବେ ଘରକୁ ଫେରିବା ବିଳମ୍ବ ହେବା ଯୋଗୁଁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ପ୍ରତିମାଙ୍କ ଆଉ କୌଣସି ସନ୍ଧାନ ମିଳି ନ ଥିଲା। ପରିବାର ଲୋକ ଆଜି ସକାଳୁ ନଦୀକଡ଼ରେ ଖୋଜାଖୋଜି କରିବା ପରେ ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ନଦୀକଡ଼ରେ ପ୍ରତିମାଙ୍କ ମୃତହେଦ ପଡ଼ିଥିବା ଦେଖିଥିଲେ। ଘଟଣା ନେଇ ଝରିଗାଁ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛିଲେ। ଶେଷରେ ଗ୍ରାମ ଶ୍ୱଶାନରେ ଶେଷ କାର୍ଯ୍ୟ ସମ୍ପନ ହୋଇଥିଲା। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର