ବ୍ରହ୍ମପୁର: ଟ୍ରେନ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ବ୍ରହ୍ମପୁର:ଆଜି ସକାଳେ ବ୍ରହ୍ମପୁର ଷ୍ଟେସନରେ ଓଖା- ପୁରୀ ଟ୍ରେନ୍‌ରୁ ଜଣେ ମହିଳା ଯାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିବା ସହିତ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ଗାଙ୍ଗପଡ଼ା ଥାନା ଭଙ୍ଗରଡ଼ା ଗ୍ରାମର କୃଷ୍ଣଚନ୍ଦ ନାୟକ( ୩୧ ବର୍ଷ) ନିଜ ଦୁଇ ବର୍ଷର ପୁଅ ଓ ପତ୍ନୀ ସୁଜାତା ନାୟକ(୨୭ ବର୍ଷ)ଙ୍କ ସହିତ ଗୁଜୁରାଟ ସୁରତର ଅଙ୍କଳେଶ୍ୱର ଠାରେ ରହୁନ୍ତି। ତେବେ ସେମାନେ ଗତ ୨୮ ତାରିଖ ଦିନ ଓଖା-ପୁରୀ ଟ୍ରେନ୍‌ରେ ଘରକୁ ଫେରୁଥିଲେ।
କୃଷ୍ଣଚନ୍ଦ୍ରଙ୍କ କହିବା କଥା ଅନୁଯାୟୀ, ତାଙ୍କ ପତ୍ନୀ ସୁଜାତାଙ୍କ ଦେହ ଗତକିଛି ଦିନ ହେବ ଖରାପ ଥିଲା। ଗତକାଲି ରାତିରେ ସେ ଖାଇବାକୁ ମନା କରିଥିଲେ। ତେବେ ବିଳମ୍ବିତ ରାତିରେ ସୁଜାତାଙ୍କୁ ଡାକିବାରୁ ସେ ୃାଉ ଶୁଣି ନ ଥିଲେ। ଗାଡ଼ି ବ୍ରହ୍ମପୁରରେ ରହିବା ପରେ ସେ ସୁଜାତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ସୁଜାତାଙ୍କ ବାପା ରାମଚନ୍ଦ୍ର ସାହୁ ଷ୍ଟେସନରେ ପହଞ୍ଚି ସୁଜତାଙ୍କ ଦୁଇ ବର୍ଷର ପୁଅକୁ ସାଙ୍ଗରେ ନେଇ ପଳାଇଛନ୍ତି।

ସମ୍ବନ୍ଧିତ ଖବର