ଗଞ୍ଜେଇ ଚାଲାଣ ମାମଲାରେ ମହିଳାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କୋରାପୁଟ : ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାରକରି ଜଣେ ମହିଳା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ମହଲତ ଶା । ଅଭିଯୁକ୍ତ ଜଣକ ହେଲେ ବିହାର ସୁରଜପୁରର ସୁଷମା ପ୍ରସାଦ। ସେ ରାଉରକେଲାର ଛେଣ୍ଡ ଅଞ୍ଚଳରେ ରହୁଥିଲେ । ୧୦ ଜଣ ସାକ୍ଷୀଙ୍କ ବୟାନ ଓ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅଦାଲତ ଦୋଷୀ ସୁଷମାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ।

ସୂଚନା ଅନୁଯାୟୀ, ୨୦୧୬ ଅଗଷ୍ଟ ୧୧ ତାରିଖ ଦିନ ନନ୍ଦପୁରରୁ ରାଉରକେଲା ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସବ ଇନ୍ସପେକ୍ଟର ଅମିତାଭ ଦାସଙ୍କ ନେତୃତ୍ୱରେ  ସେମିଳିଗୁଡା ପୋଲିସ ଟିମ ନନ୍ଦପୁର ରାସ୍ତା ଜାନୀଗୁଡା ପୋଲ ନିକଟରେ ଯାଞ୍ଚ କରୁଥିଲା । ଦିନ ପ୍ରାୟ ୧୧ଟା ୨୦ ମିନିଟ ସମୟରେ ନନ୍ଦପୁର ଆଡୁ ଆସୁଥିବା ଏକ ଧଳା ଇଣ୍ଡିଗୋ କାର ଯାହାର ନମ୍ବର ଓଡ଼ି ୧୪ ଜି ୧୯୦୮କୁ ପୋଲିସ ଅଟକାଇବାରୁ ଗାଡିର ଡ୍ରାଇଭର ଏବଂ ଅନ୍ୟଜଣେ ନିକଟସ୍ଥ ଜଙ୍ଗଲ ଆଡକୁ ଦୌଡ଼ିଯାଇ ଫେରାର ହୋଇଯାଇଥିଲେ । ସେମିଳିଗୁଡା ପୋଲିସ ଇଣ୍ଡିଗୋ କାର ତନଖିକରି ଗାଡିରୁ ୯୮ କିଲୋ ୨୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗାଡ଼ିରେ ବସିଥିବା ନରେନ୍ଦ୍ର କୁମାର ସିଂ ଏବଂ ସୁଷମା ପ୍ରସାଦଙ୍କୁ ଗିରଫ କରିଥିଲା। ଫେରାର ହୋଇଯାଇଥିବା ଦୁଇଜଣ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର ପ୍ରେମ ସିଂ ଓ ଶ୍ୟାମ ସୁନ୍ଦର ଠାକୁର ।

ଏନ ଡି ପି ଏସ ଆଇନ ଅନୁଯାଇ ସେମିଳିଗୁଡା ଥାନାରେ ଏକ ମାମଲା ନମ୍ବର ୯୦/୨୦୧୬ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ପରବର୍ତ୍ତୀ ସମୟରେ ଗିରଫ ଅଭିଯୁକ୍ତଙ୍କ ନାମରେ ପୋଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତରେ କେଶ ନମ୍ବର ଟି ଆର ୪୦/୨୦୧୬ ରେ ବିଚାର ଚାଲିଥିଲା । ବିଚାର ଚାଲିଥିବା ସମୟରେ ଅଭିଯୁକ୍ତ ନରେନ୍ଦ୍ର କୁମାର ସିଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରୁ ଅନ୍ତରୀଣ ଜାମିନ ପାଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ସୁଷମା ପ୍ରସାଦଙ୍କ ବିଚାର ଆଜି ଶେଷ ହୋଇଥିବା ବେଳେ ମାନ୍ୟବର ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବି ଜୟନ୍ତ କୁମାର ମିଶ୍ର ମାମଲାର ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର