ସୁନ୍ଦରଗଡ଼ ପୌରପାଳିକାରେ ଅଭାବନୀୟ ଦୃଶ୍ୟ; ମୃତା ଦର୍ଶାଇ କାଟିଥିଲେ ଭତ୍ତା, ଅଫିସ ପହଞ୍ଚିଲେ ଭିନ୍ନକ୍ଷମ ନାବାଳିକା 

୨ ବର୍ଷ  ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମା’

ସୁନ୍ଦରଗଡ଼: ଦୁଇ ବର୍ଷ ତଳେ ମୃତା ଦର୍ଶାଇ ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ୫ ଶହ ଟଙ୍କାର ମଧୁବାବୁ ଭତ୍ତା କାଟି ଦିଆଯାଇଥିଲା। ଝିଅ ବଞ୍ଚିଛି କହି ଭତ୍ତା ନେବାକୁ ମା’ ଦୌଡ଼ି ଦୌଡ଼ି ଥକି ପଡ଼ିଥିଲେ ସିନା, ଶୁଣି ନଥିଲେ କର୍ତ୍ତୃପକ୍ଷ। ଶେଷକୁ  ଆଜି ମା’ଙ୍କ ସହ  ଖୋଦ୍ ମୃତା ନାବାଳିକା ସଶରୀରରେ  ଅଫିସରେ ପହଞ୍ଚି ସେ ଜୀବିତ ଥିବା ପ୍ରମାଣ ଦେଲେ।

ଆଜି ସୁନ୍ଦରଗଡ଼ ପୌରପାଳିକା ଅଫିସରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଦୃଶ୍ୟ । ଯାହା ଜିଲ୍ଲା ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି।  ଝିଅକୁ ଦେଖି ଓ ଅଭିଯୋଗ ଶୁଣି ହଡ଼ବଡ଼େଇ ଯାଇଥିଲେ ପୌର ନିର୍ବାହୀ ଅଧିକାରୀ। ସୁନ୍ଦରଗଡ଼ ପୌରାଞ୍ଚଳର ପତ୍ରାପଡ଼ାର ଲକ୍ଷ୍ମୀ ସାହୁଙ୍କ ଆଜନ୍ମ ଭିନ୍ନକ୍ଷମ ଝିଅ ଅନିମା ସାହୁଙ୍କୁ ୨୦୦୮ରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବା ପରେ ମଧୁବାବୁ ଭତ୍ତା ମଞ୍ଜୁର ହୋଇଥିଲା। ସେ ଚଳନ ଅକ୍ଷମ ଥିବାରୁ ପୌରପାଳିକାର ଜଣେ କର୍ମଚାରୀ ପ୍ରତି ମାସରେ ଘରକୁ ଆସି ଭତ୍ତା ଟଙ୍କା ଦେଇ ଯାଉଥିଲେ। କିନ୍ତୁ ୨୦୧୯ ଅଗଷ୍ଟରୁ ଆଉ ତାଙ୍କୁ ଭତ୍ତା ମିଳିଲା ନାହିଁ। ୩ ମାସ ପରେ ମା’ ଲକ୍ଷ୍ମୀ ପୌରପାଳିକାକୁ ଯାଇ ଝିଅର ଭତ୍ତା ସମ୍ପର୍କରେ ପଚାରିଥିଲେ। କିନ୍ତୁ କିଛି ସଠିକ ଉତ୍ତର ମିଳି ନଥିଲା। ସେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ଏହାର କିଛି ମାସ ପରେ କୋଭିଡ୍ ସଂକ୍ରମଣକୁ ନେଇ ତାଲାବନ୍ଦ ହେବାରୁ ଲକ୍ଷ୍ମୀ ଆଉ ପୌରପାଳିକା ଅଫିସକୁ ଯାଇ ନଥିଲେ। ପରବର୍ତ୍ତୀ ସମୟରେ ତାଲା ଖୋଲିବା ପରେ ସେ ପୁଣି ଝିଅର ଭତ୍ତା ପାଇଁ ଅଫିସ ଧାଇଁଥିଲେ। କିନ୍ତୁ ସେତେବେଳେ ସେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ପୌରପାଳିକା ନଥିପତ୍ରରେ ୨୦୨୦ ଫେବ୍ରୁଆରିରୁ  ଝିଅ ଅନିମାକୁ  ମୃତା ଘୋଷିତ କରି କର୍ତ୍ତୃପକ୍ଷ ତାଙ୍କ ଭତ୍ତା କାଟି ଦେଇଥିଲେ। ଝିଅ ଜୀବିତ ଅଛି ବୋଲି ଯେତେ କହିଲେ ବି ଦାୟିତ୍ବରେ ଥିବା ପୌର କର୍ମଚାରୀ ଶୁଣି ନଥିଲେ। ଏହା ପରେ ସେ ଅନେକବାର ପୌରପାଳିକା ଅଫିସକୁ ଧାଇଁଛନ୍ତି, ଭତ୍ତା ଦେବାକୁ ନେହୁରା ହୋଇଛନ୍ତି। କିନ୍ତୁ ଝିଅ ଜୀବିତ ଥିବାର ପ୍ରମାଣ ଆଣିବାକୁ କହି କର୍ମଚାରୀ ଫେରାଇ ଦେଇଥିଲେ।  ସରକାରୀ ପ୍ରମାଣପତ୍ର ପ୍ରସ୍ତୁତ କରିବାର ଜଟିଳ ପ୍ରକ୍ରିୟା ସମ୍ପର୍କରେ ଅଜ୍ଞ  ମା’ ଲକ୍ଷ୍ମୀ ଶେଷକୁ ଝିଅ ଅନିମାଙ୍କୁ ସଙ୍ଗରେ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ। ପୌର ଅଧିକାରୀ ଅଭିଯୋଗ ଶୁଣି ତୁରନ୍ତ ବକେୟା ଭତ୍ତା ପ୍ରଦାନ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର