ପୁରୀ ଡାକ୍ତରଖାନାରେ ସଜ୍ଞାହୀନ ଅଜଣା ଯୁବତୀ: ଦୁଇ ଯୁବକ ଥାନାରେ ଅଟକ

ପୁରୀ: ଗତକାଲି ରାତିରେ ଜଣେ ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ପୋଷାକପତ୍ର ବିପର୍ଯ୍ୟସ୍ତ ଥିବାରୁ ପୁଲିସ ଯୁବତୀଙ୍କ ସଜ୍ଞା ଫେରିବା ପର୍ଯ୍ୟନ୍ତ ତାଙ୍କ ବୟାନକୁ ଅପେକ୍ଷା କରିଛି। ଅପରପକ୍ଷେ ଏହି ଘଟଣାରେ
ବ୍ରହ୍ମଗିରି ପୁଲିସ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ବ୍ରହ୍ମଗିରି ଥାନା ଇନସପେକ୍ଟର ପ୍ରଭାତ କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଯୁବକ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଏକ ସ୍ୱିଫ୍ଟ ଡିଜାୟାର କାର ଯୋଗେ ଆଣି ବ୍ରହ୍ମପୁରସ୍ଥିତ କେରଣ୍ଡିଆ ହସ୍‌ପିଟାଲରେ ପହଞ୍ଚିଥିଲେ। ଏହି ଦୁଇ ଯୁବକ ହେଉଛନ୍ତି ପଲଙ୍କ ଗାଁର ଭୀମସେନ ସେଠୀ ଓ ଗଉଡ଼କେରା ଗାଁର ସୁଶାନ୍ତ ପଲେଇ। ମାତ୍ର ଯୁବତୀ ଜଣକ ସଜ୍ଞାହୀନ ଓ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୁରୀ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଯୁବତୀଙ୍କୁ କେରାଣ୍ଡିଆ ଡାକ୍ତରଖାନାରେ ରାତିରେ ଭର୍ତ୍ତି କରିଥିବା ଯୁବକ ଶ୍ରୀ ସେଠୀ ଓ ଶ୍ରୀ ପଲେଇଙ୍କୁ ପୁଲିସ ଥାନାରେ ପଚରାଉଚରା କରୁଛି। ସେମାନେ କହିଛନ୍ତି ଯେ ଦୁଇଜଣ ପଲସର ଆରୋହୀ ଯୁବକ ସେମାନଙ୍କୁ ବେଣ୍ଟପୁର ଛକରେ ଅଟକାଇ ଯୁବତୀଙ୍କ ଦେହ ଖରାପ ଅଛି,ତୁରନ୍ତ ଡାକ୍ତରଖାନା ନେଇକି ଚାଲ, ଆମେ ଯାଉଛୁ କହିଥିଲେ। ଯୁବତୀଙ୍କ ଅବସ୍ଥା ଦେଖି ତାଙ୍କୁ ଆମେ ଡାକ୍ତରଖାନା ଆଣିଥିଲୁ ବୋଲି ଥାନାରେ ଅଟକ ଥିବା ଦୁଇ ଯୁବକ ପୁଲିସକୁ କହିଛନ୍ତି। ତେବେ ଯୁବତୀଙ୍କ ସଜ୍ଞା ଫେରିବା ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଅପରପକ୍ଷେ ଯୁବତୀଙ୍କ ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ। ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର