ଢେଙ୍କାନାଳ: ରାତିରେ ଗଭୀର ନିଦ୍ରାରେ ଶୋଇଥିଲେ ସ୍ତ୍ରୀ, ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ଜୀବନ ନେଲା ସ୍ୱାମୀ

ଢେଙ୍କାନାଳ: ରାତ୍ରି ଭୋଜନ ପରେ ଗଭୀର  ନିଦ୍ରାରେ ଶୋଇଥିବା ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ଜୀବନ ନେଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ନିକଟ ନାଣ୍ଡିପୋଲିଆ ଗାଁରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, ମୃତକ ସବିତା ନାୟକ ଶୋଇଥିବା ବେଳେ ଏକ  ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକାଟି ଦେଇଛନ୍ତି ସ୍ୱାମୀର ନଣ୍ଡା ନାୟକ।

ସୂଚନା ଅନୁସାରେ ସୋମବାର ରାତି ଭୋଜନ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଶୋଇବାକୁ ଯାଇଥିଲେ। ସବିତା ଗଭୀର ନିଦ୍ରାରେ ଶୋଇଥିବା ବେଳେ ପୂର୍ବରୁ ହତ୍ୟା ପାଇଁ ଯୋଜନା କରିଥିବା ଅଭିଯୁକ୍ତ ସ୍ୱାମୀ ନଣ୍ଡା ମଧ୍ୟରାତ୍ରିକୁ ଅପେକ୍ଷା କରିଥିଲା। ସେ ରାତିରେ ସ୍ତ୍ରୀର ତଣ୍ଟି କାଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସବିତାଙ୍କ ମୃତ୍ୟୁ ଘଟିଥିଲା।

ତେବେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆଜି ସକାଳୁ ନଣ୍ଡା ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରିବାକୁ ଥାନାରେ ଅଭିଯୋଗ କରିବାକୁ ବାହାରୁ ଥିବା ବେଳେ ପୁଲିସ ସେହି ସମୟରେ ଅଚାନକ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ନଣ୍ଡାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ନଣ୍ଡା ଓ ସବିତାଙ୍କର ୨ ବର୍ଷ ପୂର୍ବରୁ ବିବାହ ହୋଇଥିଲା। ନଣ୍ଡା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ରୋଜଗାର ଟଙ୍କାରେ ମଦ ପିଇବା ତାର ଅଭ୍ୟାସ ଥିଲା, ଯେଉଁଥି ପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା।

ଉଲ୍ଲେଖଯୋଗ୍ୟ, ଦୁଇ ମାସ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଜଣେ ଲୋକ ନିଜର ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଶିରିଡ଼ି ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ବିରଞ୍ଚି ଭୋଇ ନାମରେ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର