ନବରଙ୍ଗପୁର: ସୀମା ଟପିଲା ବର୍ବରତା, ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ସ୍ୱାମୀ

ଡାବୁଗାଁ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ସ୍ୱାମୀ ହତ୍ୟା କରିଛି। ପାରିବାରିକ କଳହ ହତ୍ୟାକାଣ୍ଡର ରୂପ ନେଇଛି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ମାଲିଗୁଡ଼ା ଗାଁରେ ଶନିବାର ରାତି ୮ଟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ମାଲିଗୁଡ଼ା ଗାଁର ଜୟସିଂହ ପାଇକ ନିଜର ସ୍ତ୍ରୀ ପାର ପାଇକ (୪୦)ଙ୍କୁ ରାତିରେ ଗୋଡେଇ ଗୋଡେଇ ପିଟିଥିଲା। ପୁଅ ସିନ୍ଧୁ ପାଇକ ଓ ତା’ର ଦାଦା ବଳରାମ ପାଇକ ମହିଳାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରି ନଥିଲେ।

ପୁଅର ଆଖି ଆଗରେ ପାର ପାଇକଙ୍କ ଜୀବନ ଚାଲି ଯାଇଥିଲା। ପରେ ବଳରାମ ଓ ସିନ୍ଧୁଙ୍କ ମାଡରେ ଜୟସିଂ ଲହୁଲୁହାଣ ହୋଇଥିଲା। ହତ୍ୟାକାଣ୍ଡ ନେଇ ଆଜି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆଇଆଇସି ମୁନି ଆଚାରି ଘଟଣାସ୍ଥଳକୁ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର