ସୁବର୍ଣ୍ଣପୁର: ଘରକୁ ଫେରୁଥିବା ବେଳେ ଆକ୍ରମଣରେ ମହିଳା ମୃତ, ସ୍ୱାମୀ-ପୁଅ ଗୁରୁତର

ବିନିକା: ଘରକୁ ଫେରୁଥିବା ବେଳେ ରବିବାର ରାତି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ଘୋଡ଼ାଧାର ଗାଁର ସ୍କୁଲ ରାସ୍ତାରେ ଆଜି ରାତି ୮ଟା ୩୦ରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ବେଳେ ତାଙ୍କର ସ୍ୱାମୀ ଓ ପୁଅଙ୍କୁ ଲହୁଲୁହାଣ କରିଛନ୍ତି। ଆହତ ବାପା-ପୁଅଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଘୋଡ଼ାଧାର ଗାଁର ପାଞ୍ଚେଶ୍ୱରୀ ଲୁହା (୫୦), ତାଙ୍କ ସ୍ୱାମୀ କଣ୍ଟିଆ ଲୁହା (୬୦) ଓ ବାଲେଶ୍ୱର ଲୁହା (୨୨) ସଂସାରୁମୁରା ଗାଁରୁ ଏକ ବାଇକରେ ଘରକୁ ଫେରୁଥିଲେ। ଗାଁ ସ୍କୁଲ ନିକଟରେ ତାଙ୍କୁ ପୂର୍ବରୁ ଅପେକ୍ଷା କରିଥିବା ଦୁର୍ବୃତ୍ତମାନେ ଅଚାନକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। କଣ୍ଟିଆ ଓ ବାଲେଶ୍ୱରଙ୍କୁ ସୋନପୁର ହସ୍‌ପିଟାଲ ପଠାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ପହଂଚି ଘଟଣାସ୍ଥଳରୁ ମୃତଦେହ ଜବତ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୂର୍ବାନୁମାନ କରାଯାଉଛି। ପୁଲିସର ତଦନ୍ତ ପରେ ସବୁ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର