ଅନୁଗୁଳ: ଘର ବାରଣ୍ଡାରେ ଛିଡ଼ା ହୋଇଥିଲେ ମହିଳା, ବଜ୍ରାଘାତ ନେଲା ଜୀବନ

ପାଲଲହଡା: ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ମହିଳା ଜୀବନ ହାରିଛନ୍ତି। ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ନମପସି ପଂଚାୟତରେ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ଜମରା ଗାଁର ସୁକାନ୍ତୀ ସାହୁ (୪୦) ଆଜି ଅପରାହ୍ଣ ୪ଟାରେ ଘର ସମ୍ମୁଖରେ ଥିବା ନଳକୂପରୁ ପାଣି ଆଣିବାକୁ ଯାଇଥିଲେ। ରୋଷେଇ ପାଇଁ ସେ ପାଣି ଆଣି ଘରକୁ ଫେରିଥିଲେ। ପରେ ସେ ଘର ସମ୍ମୁଖରେ ଥିବା ବାରଣ୍ଡାରେ ଛିଡ଼ା ହୋଇଥିଲେ। ଏତିକି ବେଳେ ଘର ନିକଟରେ ଥିବା ଗଛକୁ ବଜ୍ରାଘାତ ମାରିଥିଲା। ବଜ୍ରାଘାତର ମାତ୍ରା ଭୟଙ୍କର ଥିଲା।

ବଜ୍ରାଘାତ ସଂସ୍ପର୍ଶରେ ଆସିବା ପରେ ସୁକାନ୍ତୀ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାଲଲହଡ଼ା ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଂଚିବା ପରେ ସୁକାନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁକାନ୍ତୀଙ୍କର ୨ ଜଣ ଛୋଟ ଶିଶୁ ଅଛନ୍ତି। ମା’କୁ ହରାଇବା ପରେ ସେମାନେ କେମିତି ବଡ଼ ହେବେ ସେ ନେଇ ସ୍ଥାନୀୟ ଅଚଂଳର ଲୋକେ ଚର୍ଚ୍ଚା କରୁଛନ୍ତି। ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଚଂଳରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ପ୍ରଭାବରେ ବର୍ଷା ଓ ଝଡ଼ତୋଫାନ ଦେଖାଯାଇଛି।

ସମ୍ବନ୍ଧିତ ଖବର