ଟ୍ରକ୍‌ ଚାପାରେ ମହିଳା ମୃତ, ବର୍ତ୍ତିଗଲେ ବାପା-ଝିଅ, ଜାତୀୟ ରାଜପଥ ଅବରୋଧ

ଯାଜପୁର: ସ୍ୱାମୀ ଓ ଝିଅଙ୍କ ସହିତ ଯାଉଥିବା ଜଣେ ମହିଳା ସ୍କୁଟିରୁ ଖସିପଡ଼ିବାରୁ ଏକ ଟ୍ରକ୍‌ର ଚାପାରେ ଜୀବନ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ଚଣ୍ଡିଖୋଲ ଥାନା ଅନ୍ତର୍ଗତ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଏହି ଘଟଣା ଘଟିବା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଯାତାୟତ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ଏକ ସ୍କୁଟି ଯୋଗେ ଗାଁକୁ ଫେରୁଥିଲେ। ରାସ୍ତାରେ ଖାଲଖମା ଥିବାରୁ ସ୍କୁଟି ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ ଅନିତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁ ଏଭଳି ଦୁର୍ଘଟଣା ଘଟି ଚାଲିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛି। ତୁରନ୍ତ ଏହି ବ୍ରିଜରେ ଥିବା ଖାଲଖାମକୁ ମରାମତି କରିବା ସହ ହମ୍ପସ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର