ସରକାରୀ ଜମିକୁ ନେଇ ବିବାଦ: ବୁଲିଲା ଖଣ୍ଡା, ୬ ଜଣ ଆହାତ

ଅନୁଗୁଳ: ଏକ ସରକାରୀ ଜମିକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ଭିତରେ ଜୋରଦାର ଗଣ୍ଡଗୋଳ ହୋଇଛି। ଏପରିକି ସହର ଭିତରେ ଖଣ୍ଡା, ଭୁଜାଲି ବି ବୁଲିଛି। ଏଥିରେ ୬ ଜଣ ଆହାତ ହୋଇଛନ୍ତି। ଥାନାରେ ଏଥିନେଇ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସହର ଶିମିଳିପଡା ଅଞ୍ଚଳରେ ରୁହନ୍ତି ଅମରେନ୍ଦ୍ର ଦେବତା। ତାଙ୍କ ଘର ଆଗରେ ଏକ ସରକାରୀ ଜାଗା ରହିଛି। ଏହି ଜାଗାରେ ଅମରେନ୍ଦ୍ର ମାଟି ପକାଇବା ସହ ଗଛପତ୍ର ଲଗାଇଥିଲେ। କିନ୍ତୁ ଏହି ଜମିକୁ ନେଇ ତାଙ୍କର ଶିକ୍ଷକପଡ଼ା ଅଞ୍ଚଳର ପ୍ରତାପ ନାଏକ ଓ ପ୍ରଦୀପ ନାୟକଙ୍କ ସହ ବିବାଦ ହୋଇଥିଲା। ଏହି ବିବାଦ ଏତେ ତୀବ୍ର ହୋଇଥିଲା ଯେ, ଆଜି ପ୍ରତାପ ଓ ପ୍ରଦୀପ ଆଉ କିଛି ଲୋକଙ୍କ ସହ ମିଶି ବିଭିନ୍ନ ମାରଣାସ୍ତ୍ର ସହ ଅମରେନ୍ଦ୍ରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

ଅମରେନ୍ଦ୍ରଙ୍କ ପରିବାର ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଖଣ୍ଡା, ଭୁଜାଲି ଓ ବାଡିରେ ଆକ୍ରମଣ ଦ୍ବାରା ଅମରେନ୍ଦ୍ରଙ୍କ ସମେତ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି, ପୁଅ ଅଭିଳାସ ଓ ଅୟସକାନ୍ତ ଆହତ ହୋଇଥିଲେ। ସେହିପରି ତାଙ୍କ ବୋହୁଙ୍କୁ ମଧ୍ୟ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପ୍ରତାପ ଓ ପ୍ରଦୀପ ମଧ୍ୟ ଆହତ ହୋଇଛନ୍ତି। ଏଥିନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଅଭିଳାଷ ଓ ଅୟସକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରତାପ ଓ ପ୍ରଦୀପ ଚିକିତ୍ସାଧୀନ ଅଛନ୍ତି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ କହିଛି

ସମ୍ବନ୍ଧିତ ଖବର