ଆକ୍ରମଣକାରୀ ସହ ଲଢ଼ି ଜୀବନ ବଞ୍ଚାଇଲେ ମହିଳା ଅଧିକାରୀ, କ୍ବାର୍ଟର୍ସ ଭିତରୁ ଅଭିଯୁକ୍ତକୁ କାବୁ କଲା ପୁଲିସ୍, ଡାହାଣ ଗୋଡ଼,ମୁହଁରେ ଲାଗିଛି ଆଘାତ 

ରାୟଗଡ଼ା: ଆକ୍ରମଣକାରୀ ସହ ଲଢ଼ି ଜୀବନ ବଞ୍ଚାଇଛନ୍ତି ମହିଳା ଅଧିକାରୀ। ନିଜେ ଆହତ ହେବା ସତ୍ତ୍ବେ ଅଭିଯୁକ୍ତକୁ କାବୁ କରି ପୁଲିସକୁ ସୂଚନା ଦେବା ପରେ କ୍ବାର୍ଟର୍ସ ଭିତରୁ ପୁଲିସ୍ ଅଭିଯୁକ୍ତକୁ ଧରି ଥାନାକୁ ନେଇଛି। ଆକ୍ରମଣରେ ମହିଳା ଅଧିକାରୀଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁହଁ ଓ ନାକରେ ଲାଗିଛି ଆଘାତ। ନିଜ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ୍ କଲୋନିରେ।

ରାୟଗଡ଼ା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରୁଛନ୍ତି ନିରୁପମା ପଣ୍ଡା। ବ୍ଲକ୍ କଲୋନି କ୍ବାର୍ଟର୍ସରେ ନିରୁପମା ରହୁଛନ୍ତି। ଆଜି ସକାଳୁ ନିରୁପମା ଉଠିବା ପରେ ବାସନ ସଫା କରି ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ବାଥରୁମରୁ କ୍ବାର୍ଟର୍ସ ଭିତରକୁ ଆସୁଥିବା ସମୟରେ ସମୀର ପାଣିଗ୍ରାହୀ ନାମକ ଜଣେ ଯୁବକ ବାଡ଼ି ପଛ ପାଚେରୀ ଡେଇଁ କ୍ବାର୍ଟର୍ସ ଭିତରକୁ ପଶି ଆସିଥିଲେ। ହଠାତ୍ ନିରୁପମାଙ୍କୁ ଆକ୍ରମଣ କରିବା ପରେ ଭୟରେ ନିରୁପମା କ୍ବାର୍ଟର୍ସରୁ ବାହାରକୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସମୀର କ୍ବାର୍ଟର୍ସ ବାରଣ୍ଡାରେ ନିରୁପମାଙ୍କୁ ନିର୍ଘାତ ମାଡ଼ ମାରିବା ସହ ମୁଣ୍ଡର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ଭିତରକୁ ନେଇ ଆସିଥିଲେ। ନିରୁପାୟ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଆକ୍ରମଣକାରୀ ଲଢ଼ିଥିଲେ ନିରୁପମା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ହାତରେ ମୁଣ୍ଡ ଓ ଗୋଡ଼କୁ ଆକ୍ରମଣ କରିଥିଲେ ସମୀର। ଫଳରେ ନିରୁପମାଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ ନାକ ଫାଟି ଯାଇଥିଲା। ମୁହଁରେ ମଧ୍ୟ ଆଘାତ ଲାଗିଥିଲା। ଆହତ ପରେ ବି ନିରୁପମା ଆକ୍ରମଣକାରୀ କବଳରୁ ବର୍ତ୍ତିବା ପାଇଁ ଲଢ଼ିଥିଲେ। କୌଶଳକ୍ରମେ ସମୀରଙ୍କୁ  କାବୁ କରି କ୍ବାର୍ଟର୍ସ ବାହାରକୁ ଠେଲି ଆଣିବା ପରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡ଼ି ଆସିବା ସହ ସମୀରକୁ ଧରି ନେଇଥିଲେ। କ୍ବାର୍ଟର୍ସରୁ ବାହାରକୁ ଆଣିବା ପରେ ଘଟଣା ସଂପର୍କରେ  ଜାଣିବା ପରେ ଲୋକମାନେ ସମୀରକୁ ନିର୍ଘାତ ମାଡ଼ ମାରିବା ପରେ ଟାଉନ୍ ଥାନା ପୁଲିସକୁ ଖବର ଦେଇଥିଲେ।

ସଙ୍ଗେ ସଙ୍ଗେ ଟାଉନ୍ ଥାନା ପୁଲିସ୍ କ୍ବାର୍ଟର୍ସ ନିକଟରେ ପହଞ୍ଚି ସମୀରକୁ ଥାନାକୁ ନେଇଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଆହତ ନିରୁପମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏକ୍ସରେ କରାଯିବା ପରେ ଡାହାଣ ଗୋଡ଼ ଭାଙ୍ଗିଥିବା ଜଣା ପଡ଼ିବା ପରେ ପ୍ଲାଷ୍ଟର କରାଯାଇଛି। ମେଡ଼ିକାଲରେ ଚିକିତ୍ସା ପରେ ନିରୁପମା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟାଉନ୍ ଥାନା ଏସଆଇ ଜୟସ୍ମିତା ବେହେରା, ଏଏସଆଇ କିଶୋର ଚନ୍ଦ୍ର ବେହେରା ନିରୁପମାଙ୍କ କ୍ବାର୍ଟର୍ସରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନିରୁପମାଙ୍କ ବୟାନ୍ ସଂଗ୍ରହ କରିଥିଲେ। କ୍ବାର୍ଟର୍ସ ପଛ ପଟ ପାଚେରୀ ଭାଙ୍ଗି ଯାଇଥିବାରୁ ଉକ୍ତ ରାସ୍ତା ଦେଇ ସୀମର ଭିତରକୁ ଆସିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।  ଆକ୍ରମଣର କାରଣ ସଂପର୍କରେ ନିରୁପମା ଜାଣିନଥିବା ବେଳେ ଆଇନ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଗାଡ଼ିରେ ନିରୁପମାଙ୍କୁ ନିଜ ଘର ଗଞ୍ଜାମ ଜିଲ୍ଲାର ଚିକିଟି ଗଡ଼କୁ ପଠାଯିବ ବୋଲି ବ୍ଲକ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ଲକ୍ କଲୋନି ଭିତରେ କିଛି କ୍ବାର୍ଟର୍ସ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ରାତିରେ ଏହି କ୍ବାର୍ଟର୍ସ ନିକଟରେ ଅସାମାଜିକଙ୍କ ଆଡ୍ଡା ଜମୁଥିଲେ ମଧ୍ୟ ବ୍ଲକ୍ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ କ୍ବାର୍ଟର୍ସରେ ଏକାକି ରହୁଥିବା ମହିଳା ଅଧିକାରୀ ନିଜକୁ ଅସୁରକ୍ଷିତ ମଣିବା ସହ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରିକି ଦୀର୍ଘ ଦିନ ହେଲା କଲୋନିର ସୁରକ୍ଷା ପାଚେରୀ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହାର ନିର୍ମାଣ କରାଯାଉନି।

ସମ୍ବନ୍ଧିତ ଖବର