ମର୍ଦ୍ଦବାଡ଼ିରେ ମହିଳା ଥାନା ଅଧିକାରୀଙ୍କୁ ୩ ଘଂଟା ମୁଣ୍ଡ ଜାମିନ!

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ମର୍ଦ୍ଦବାଡ଼ି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ମାମଲାରେ ୩ଜଣଙ୍କୁ ଗିରଫ କରିବାକୁ ଯାଇଥିବା ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କ ସମେତ ୬ଜଣ ପୁଲିସ କର୍ମଚାରୀଙ୍କୁ ଗାଁ ଲୋକ ମୁଣ୍ଡଜାମିନ ରଖିବା ପରେ ସର୍ତପତ୍ର ଲେଖି ଛାଡ଼ିଛନ୍ତି ।

ସୂଚନାନୁସାରେ, ମର୍ଦ୍ଦବାଡ଼ିରେ ପ୍ରାୟ ୧ ମାସ ପୂର୍ବେ ଏକ ଚୋରି ମାମଲାରେ ପୁଲିସ ୧୨ ଜଣଙ୍କୁ ଅଭିଯୁକ୍ତ କରିଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଇତିମଧ୍ୟରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଆଜି ସକାଳେ ବୋଲଗଡ଼ ଥାନା ପୁଲିସ ପୁଣି ୨ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ରାତି ପ୍ରାୟ ୭ଟାରେ ଆଇଆଇସି ଓ ଏକ ସେକ୍ସନ ପୁଲିସ ପୁଣି ଗାଁକୁ ଯାଇ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ । ଗାଁକୁ ପ୍ରବେଶ କରିବା ପରେ ଗାଁର ଶତାଧିକ ପୁରୁଷ ମହିଳା ପୁଲିସ ଗାଡ଼ିକୁ ଘେରିଯାଇଥିଲେ । ଥାନା ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଏକ ପ୍ରକୋଷ୍ଠରେ ବନ୍ଦ କରି ରଖିବା ସହ ଗିରଫ କରି ନେଇଥିବା ୨ଜଣଙ୍କୁ ଛାଡ଼ିବାକୁ ଦାବି କରିଥିଲେ । ଦୀର୍ଘ ୩ଘଂଟା ଅଟକ ରଖିବା ପରେ ଗାଁରେ ବୋଲଗଡ଼ ପଂଚାୟତ ପ୍ରତିନିଧି ଓ କିଛି ମାନ୍ୟଗଣ୍ୟ ବ୍ୟକ୍ତି ଯାଇ ସମାଧାନ କରିବାକୁ ଚେଷ୍ଟାକରିଥିଲେ । ଶେଷରେ ସକାଳେ ଉଠାଇ ନେଇଥିବା ୨ଜଣଙ୍କୁ ବିନା ମାମଲାରେ ଛାଡ଼ିବା ପାଇଁ ଏକ ସର୍ତପତ୍ର ଲେଖାଇଥିଲେ । ଏକ ସୂତ୍ରରୁ ମିଳିଥିବା ସୂଚନାରେ, ଗାଁ ଲୋକଙ୍କ ମାଡ଼ରେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି ।

ତେବେ ଏନେଇ ଖୋର୍ଦ୍ଧା ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏକ ଚୋରୀ ମାମଲାରେ ସେହି ଗାଁର ଅଭିଯୋଗକାରୀ ଗାଁର ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ ଦେଇଥିଲା । ଏହି ଘଟଣାରେ ପୁଲିସ ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା । ଯେହେତୁ ଅଭିଯୋଗକାରୀଙ୍କୁ ଗାଁର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ ସେମାନେ ପୁଲିସର ପଦକ୍ଷେପକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ତେବେ ଗାଁ ଲୋକ ଥାନା ଅଧିକାରୀ କିମ୍ବା ପୁଲିସକୁ ଅଟକ ରଖିନାହାନ୍ତି । ଥାନା ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ ଓ ସେଠାରୁ କୁଶଳରେ ଫେରିଆସିଛନ୍ତି । ସକାଳେ ୨ଜଣଙ୍କୁ ଗିରଫ କରାଯାଇଥିବା ଓ ପୁଲିସ କର୍ମଚାରୀ ଆହତ ହୋଇଥିବା କଥାକୁ ସେ ଖଣ୍ଡନ କରିଛନ୍ତି, ଏହି ଘଟଣାରେ କାହାରିକୁ ଆଜି ଗିରଫ କରାଯାଇନାହିଁ କି କୌଣସି ପୁଲିସ କର୍ମଚାରୀ ଆହତ ହୋଇନାହାନ୍ତି ବୋଲି ଶ୍ରୀ ଦୋରା କହିଛନ୍ତି ।

ସମ୍ବନ୍ଧିତ ଖବର