ବାରିପଦା କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ, କାମରେ ଆସୁନି ଜେଲ ହସ୍‌ପିଟାଲ

କଏଦୀଙ୍କୁ ମିଳୁନି ଉତ୍ତମ ଚିକିତ୍ସା ସୁବିଧା, ସପ୍ତାହେ ମଧ୍ୟରେ ଦୁଇ କଏଦୀଙ୍କ ପ୍ରାଣ ଗଲାଣି

ବାରିପଦା: ବାରିପଦା କେନ୍ଦ୍ରୀୟ କାରାଗାରରେ ଜେଲ୍‌ ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ରହିଛି ହସ୍‌ପିଟାଲ। ମାତ୍ର ସେଠାରେ କଏଦୀମାନଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ମିଳୁନଥିବା ଅଭିଯୋଗ ‌ହୋଇଆସୁଛି। ଆଜି ବାରିପଦା କାରାଗାରରେ ରହୁଥିବା ଜଣେ ବିଚାରଧୀନ ମହିଳା କଏଦୀଙ୍କ ମୃତ୍ୟୁ ପରେ ଉପରୋକ୍ତ ଅଭିଯୋଗ ଆହୁରି ଦୃଢ଼ୀଭୁତ ହୋଇଛି।

ବଧୂହତ୍ୟା ମାମଲାରେ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୫, ବାବୁସାହିର ଗୀତା ରାୟ(୫୬) ଗତବର୍ଷ ଅଗଷ୍ଟ ମାସ ୫ତାରିଖରୁ ବାରିପଦା ‌କେନ୍ଦ୍ରୀୟ ଜେଲ୍‌ରେ ଜଣେ ବିଚାରଧୀନ କଏଦୀ ଭାବେ ରହିଆସୁଥିଲେ। ଆଜି ସକାଳୁ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଗୀତାଙ୍କୁ ପ୍ରାୟ ୯.୧୦ ସମୟରେ ପିଆରଏମ୍‌ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୀତାଙ୍କର ଆଜି ମଧ୍ୟାହ୍ନ ପ୍ରାୟ ୧୧.୫୫ରେ ମୃତ୍ୟୁ ଘଟିଥିବା ବାରିପଦା ସର୍କଲ୍‌ ଜେଲର ମଧୁସ୍ମିତ ସେଠୀ ସୂଚନା ଦେଇଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କଏଦୀ ଗୀତା ଉଚ୍ଚରକ୍ତଚାପ ଏବଂ ବ୍ରେନ୍‌ଷ୍ଟ୍ରୋକ୍‌ ଜନିତ ସମସ୍ୟାରୁ ମୃତ୍ୟୁ ଘଟିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୪ମାସ ପୂର୍ବରୁ ଜେଲ୍‌କୁ ଆସିଥିବା ଗୀତାଙ୍କର ଏପରି ସମସ୍ୟା ଥିବା ଜେଲ୍‌ କିମ୍ବା ଜେଲ୍‌ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିପାରିଲେନି କିପରି । ଉଚ୍ଚରକ୍ତଚାପ ସମସ୍ୟା ରୋଗୀଙ୍କ ନିକଟରେ ହଠାତ୍‌ ଆସିନଥାଏ। ତେବେ ବାରିପଦା ଜେଲ୍‌ରେ ପୂର୍ବରୁ ମଧ୍ୟ ଏକାଧିକ ରୋଗୀଙ୍କର ଏପରି ମୃତ୍ୟୁ ଘଟିଛି। ମାତ୍ର ୫ ଦିନ ପୂର୍ବରୁ (ଡିସେମ୍ବର ୩୧)ରେ ମଧ୍ୟ ଜଣେ ୫୮ ବର୍ଷୀୟ ବନ୍ଦୀଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ପୁରୁଷ ବନ୍ଦୀ ମଧ୍ୟ ସମାନ କାରଣରୁ ଏବଂ ବାର୍ଦ୍ଧକ୍ୟଜନିତ ସମସ୍ୟାରୁ ମୃତ୍ୟୁବରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ମଧ୍ୟ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବାରୁ ହାତ ଅକାମି ଭଳି ପରିସ୍ଥିତି ଉପୁଜୁଥିଲା ଅଭି‌ଯୋଗ ହୋଇଥିଲା। ତେବେ ମୃତ୍ୟୁବରଣ କରୁଥିବା ସମସ୍ତ କଏଦୀ କଣ ଉଚ୍ଚରକ୍ତଚାପ ଏବଂ ଷ୍ଟ୍ରୋକ୍‌ରେ ମରୁଛନ୍ତି। କିପରି ଜେଲ୍‌ କର୍ତ୍ତୃପକ୍ଷ ଏସମ୍ପର୍କରେ କୌଣସି ସୂଚନା ପୂର୍ବରୁ ପାଉନାହାନ୍ତି ତାହା ସନ୍ଦେହଜନକ ବୋଲି ମାନବିଧିକାର କର୍ମୀମାନେ ଅଭିଯୋଗ ଆଣିଛନ୍ତି। ନା ଜେଲ୍‌ରେ ରହୁଥିବା କଏଦୀଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷ ସେପରି ଯତ୍ନବାନ ନୁ‌ହନ୍ତି? ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଛି।

ଜିଲ୍ଲାରେ କରୋନା କମୁଥିବା ବେଳେ ହଠାତ୍‌ କିଛିଦିନ ତଳେ ବାରିପଦା ଜେଲ୍‌ରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିଲେ। ଏହା ଉପଯୁକ୍ତ ସଚେତନତାର ଅଭାବ ଏବଂ ଦାୟିତ୍ବହୀନତାକୁ ଦର୍ଶାଉଥିବା ସୂଚାଉଛି। ତେବେ ଆଜି ବିଚାରଧୀନ ବନ୍ଦୀ ଗୀତା ରାୟଙ୍କ ଶବ ବ୍ୟବଚ୍ଛେଦ ପରେ ସଂରକ୍ଷିତ ରଖାଯାଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର