ଝାରସୁଗୁଡା: ସିରିଆପାଲି ନାଳରେ ପ୍ରବାହିତ ବନ୍ୟାପାଣିରେ ଭାସି ଯାଉଥିବା ବେଳେ ବୁଧବାର ସକାଳୁ ଜଣେ ଯୁବକ ନାଳ ଭିତରକୁ ଡେଇଁ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପାଣିରେ ବୁଡ଼ି ବେହୋସ ହୋଇ ପଡ଼ିଥିବା ଯୁବତୀଙ୍କ ନାମ କଲ୍ୟାଣୀ ତାଣ୍ଡି(୨୨)। ତାଙ୍କ ଘର ଲଇକେରା ଥାନା ଗୁଡ଼ିଗାଁରେ ବୋଲି କୋଲାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Advertisment

ଯୁବତୀ ଜଣକ ଶୌଚ ହେବା ପାଇଁ ନାଳକୁ ଯାଇଥିବା ବେଳେ ବନ୍ୟା ପାଣିରେ ଭାସି ଯାଇଥିଲେ। ନାଳରେ ଭାସି ଯାଉଥିବା ଏହି ଯୁବତୀଙ୍କୁ ଦେଖି କାଲିବାହାଲ ଗ୍ରାମର ଜଣେ ଯୁବକ ନାଳକୁ ଡ଼େଇଁ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ କୋଲାବିରା ପୁଲିସ ଯୁବତୀଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉକ୍ତ ଯୁବତୀ ସୁସ୍ଥ ଥିବା ଜଣାଯାଇଛି। ତେବେ ନାଳକୁ ଡ଼େଇଁ ମୃତ୍ୟୁ ମୁଖରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ଯୁବକର ପରିଚୟ ପୁଲିସ ଜାଣି ପାରିନଥିବା କହିଛି। ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ କିଛିସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି।