ପାରିବାରିକ ବିବାଦରୁ ଆତ୍ମହତ୍ୟା ଉଦ୍ୟମ: ରେଳ ଲାଇନରୁ ମହିଳା ଉଦ୍ଧାର

ଆପୋଷ ଆଲୋଚନା ପରେ ଘରକୁ ଫେରିଲେ

ରାୟଗଡ଼ା: ପାରିବାରିକ ବିବାଦକୁ ନେଇ ରେଳ ଲାଇନରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ରେଳ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଉଦ୍ଧାର ମହିଳାଙ୍କ ନାମ ଅନୁ ନାୟକ (୨୩)। ଘର ରାୟଗଡ଼ାର ନୂଆସାହିରେ। ଅର୍ନ୍ତଜାତୀୟ ମାନବାଧିକର ପରିଷଦ ଓ ସଖି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ସହ ଆପୋଷ ଆଲୋଚନା କରି ବିବାଦର ସମାଧାନ ପରେ ରେଲୱେ ପୁଲିସ୍ ଅନୁଙ୍କୁ ଘରକୁ ଛାଡ଼ିଛି।

ଅପରାହଣ୍ ୪ଟା ୪୫ରେ ଆଲେପି-ଧାନବାଦ ଏକ୍ସପ୍ରେସ୍ ଟ୍ରେନ୍ ରାୟଗଡ଼ା ଷ୍ଟେସନ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନୁ ରେଳ ଲାଇନ‌ ଆଡକୁ ଦୌଡ଼ୁଥିବା ରେଲୱେ ୟାର୍ଡର ସିଲ୍ ଚେକର୍ ପି. ରମେଶ ଦେଖିଥିଲେ। ରମେଶ ଦୌଡ଼ି ଯାଇ ଅନୁଙ୍କୁ ରେଳ ଲାଇନରୁ ଅନ୍ୟତ୍ର ଟାଣି ଆଣିବା ସହ ଏ ନେଇ ଡ୍ୟୁଟି ସିଫଟିଙ୍ଗ୍ ଅଫିସର୍ ଆର୍. ବଡଜେନାଙ୍କୁ ଖବର ଦେଇଥିଲେ। ରେଲୱେ ପୁଲିସ୍ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଅନୁଙ୍କୁ ଉଦ୍ଧାର କରି ମହିଳା ପ୍ରତୀକ୍ଷାଳୟକୁ ଆଣିଥିଲେ।

ଖବର ପାଇ ଅର୍ନ୍ତଜାତୀୟ ମାନବଧିକାର ପରିଷଦ ରାୟଗଡ଼ା ସଭାପତି ସେନାପତି ସନ୍ତୋଷୀ, ସଖି ୱାନ୍ ଷ୍ଟଫ୍ ସେଣ୍ଟରର ମୁଖ୍ୟ ଗୀତାରାଣି ମିଶ୍ର ଷ୍ଟେସନରେ ପହଞ୍ଚି ଅନୁଙ୍କ ସହ ଆଲୋଚନା କରିଥିଲେ। ଅନୁଙ୍କ କହିବା ମୁତାବକ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ ବିବାଦ ଲାଗି ରହିଛି। ସ୍ବାମୀ ରାୟଗଡ଼ା ପୌର ପରିଷଦରେ କାମ କରୁଛନ୍ତି। କୌଣସି କାରଣକୁ ନେଇ ଆଜି ବିବାଦ ହେବା ପରେ ଅନୁ ମାନସିକ ଭାରସାମ୍ୟ ହରାଇ ରେଳ ଲାଇନରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଅନୁଙ୍କ ଶ୍ବଶୁର ଘର ଲୋକଙ୍କୁ ରେଳ କର୍ତ୍ତୃପକ୍ଷ ଖବର ଦେଇଥିଲେ। ଖବର ପାଇ ଅନୁଙ୍କ ଦିଅର ଷ୍ଟେସନରେ ପହଞ୍ଚି ଆପୋଷ ଆଲୋଚନା କରିଥିଲେ। କିଛି ସମୟ ପରେ ଅନୁଙ୍କୁ ବୁଝାଇ ଶୁଝାଇ ଘରକୁ ନେଇଥିଲେ।

ସମ୍ବନ୍ଧିତ ଖବର