ପିପିଇ କିଟ୍ ପିନ୍ଧି ବ୍ୟାଙ୍କ ସାନିଟାଇଜ୍ କଲେ ମହିଳା ସରପଞ୍ଚ

ଜୟପୁର,: ହାତରେ ସାନିଟାଇଜର ଲିକ୍ୟୁଡ୍, ପିଠିରେ ସ୍ପ୍ରେ ମେସିନ୍ ଧରିଛନ୍ତି। ‌ପିପିଇ କିଟ୍ ପିନ୍ଧି ବ୍ୟାଙ୍କ ପରିସରକୁ ସାନିଟାଇଜ୍ କରୁଛନ୍ତି। କେହି ସାହାଯ୍ୟ ନ କଲେ ବି କରୋନା ଯୋଦ୍ଧା ଭାବେ କାର୍ୟ୍ୟ କରିଚାଲିଛନ୍ତି। ‌କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗ ଫାମ୍ପୁଣି ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଫାମ୍ପୁଣି ଗ୍ରାମର ସରପଞ୍ଚ ପ୍ରତିମା ନାୟକ ନିଜ ପଞ୍ଚାୟତରେ ଥିବା ୟୁଜିବି ବ୍ୟାଙ୍କକୁ ସାନିଟାଇଜ୍ କରିଛନ୍ତି। ଏଭଳି କାର୍ୟ୍ୟ କରିବା ସହ ଲୋକଙ୍କୁ ସଚେତନତା ମଧ୍ୟ କରିଛନ୍ତି।

ସରପଞ୍ଚଙ୍କ କହିବାନୁଯାୟୀ, ଗତ ୩ ଦିନ ପୂର୍ବେ ବ୍ୟାଙ୍କର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ଦୁଇ ଦିନ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଦିନ ପରେ ବ୍ୟାଙ୍କକୁ ସାନିଟାଇଜ୍ କରିବା ପରେ ଖୋଲାଯିବ ‌ବ‌ୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଭୟରେ କେହି ତାହାକୁ ସାନିଟାଇଜ୍ କରିବାକୁ ରାଜି ହୋଇନଥିଲେ। ସରପଞ୍ଚ ବ୍ୟାଙ୍କ ସାନିଟାଇଜ୍ କରିବାକୁ ଲୋକ ଖୋଜିଥିଲେ ୫୦୦ ଟଙ୍କା ମଧ୍ୟ ଦେବାକୁ କହିଥ‌ିଲେ ମଧ୍ୟ କେହି ଆସିନଥିଲେ। ସାନିଟାଇଜ୍ ନ କଲେ ବ୍ୟାଙ୍କ ଖୋଲି ହେବ ନାହିଁ କିମ୍ବା ଅଧିକ ଦିନ ଆହୁରି ବ୍ୟାଙ୍କକୁ ବନ୍ଦ କରି ରଖି ହେବ ନାହିଁ। ତେଣୁ ସରପଞ୍ଚ ନିଜେ ହିଁ ବ୍ୟାଙ୍କ ସାନିଟାଇଜ୍ କରିବାକୁ ନି‌ଷ୍ପତ୍ତି ନେଇଥିଲେ। ଗୋଟିଏ ପିପିଇ କିଟ୍ କିଣି ତାହାକୁ ପିନ୍ଧିଥିଲେ ଏବଂ ପରିଚିତ ଜଣେ ବ୍ୟକ୍ତିଙ୍କ ଠାରୁ ସାନିଟାଇଜ୍ ମେସିନ୍ ଆଣି ସେଥିରେ ବିଶୋଧକ ପକାଇ ସିଞ୍ଚନ କରିଥିଲେ। ଏକୁଟିଆ ସେହି ମେସିନକୁ ଉଠାଇ ପାରୁନଥିଲେ କିନ୍ତୁ କେହି ସାହାଯ୍ୟ ମଧ୍ୟ କରିନଥିଲେ। ବହୁ କଷ୍ଟରେ ମଧ୍ୟ ସେ ବ୍ୟାଙ୍କକୁ ସାନିଟାଇଜ୍ କରିଥିଲେ। ସେ ଜଣେ ମହିଳା ହୋଇଥିଲେ ମଧ୍ୟ ହାର ନମାନି ନିଜେ ସାନିଟାଇଜ୍ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର