ମାଲକାନଗିରି: ରକ୍ତର ଘୋର ଅଭାବ ମାଲକାନଗିରି ରକ୍ତଭଣ୍ଡାରରେ ଦେଖିବାକୁ ମିଳିଛି। ଗ୍ରୀଷ୍ଣଋତୁରେ ସବୁଠାରେ ବେଶୀ ଅସୁବିଧାର ସମ୍ମୁଖୀନ ରୋଗୀ ହୁଅନ୍ତି। ପ୍ରଚଣ୍ଡ ଗ୍ରୀଷ୍ମର ତାପରେ ଲୋକେ କିମ୍ବା ଅନୁଷ୍ଠାନ ରକ୍ତଦାନ କରିବାକୁ ଏକ ପ୍ରକାର ଭୟ କରନ୍ତି। ତେଣୁ ଜିଲ୍ଲା ମେଡିକାଲରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ତେବେ ଗତ କିଛି ଦିନ ତଳେ ଏମଭି-୮ ଗ୍ରାମର ପ୍ରମୋଦ ସରକାର(୭୪) ନିମୋନିୟା ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଶନିବାର ତାଂକୁ ତୁରନ୍ତ ବି-ପୋଜିଟିଭ ରକ୍ତ ଦରକାର ପଡିଲା। ଡାକ୍ତର ପରିବାର ଲୋକଙ୍କୁ ରକ୍ତ ଯୋଗାଡ କରିବାକୁ କହିଥିଲେ। ପରିବାର ଲୋକେ ରକ୍ତ ପାଇଁ ବହୁ ସ୍ଥାନ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଜିଲ୍ଲାର କିଛି ଯୁବଗୋଷ୍ଠୀ ରକ୍ତଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ଏ ସଂପର୍କରେ ମାଲ୍ୟବନ୍ତ ରକ୍ତଦାତା ଗ୍ରୁପର ସହଯୋଗୀମାନେ ଖବର ପାଇବା ପରେ ତୁରନ୍ତ ନିଜ ମଧ୍ୟରେ କାହାର ଯଦି ବି-ପୋଜିଟିଭ ରକ୍ତ ଥାଏ ତୁରନ୍ତ ଦେବାକୁ କହିଥିଲେ। ସାମ୍ବାଦିକ ମୁନ୍ନା ନେତମଙ୍କ ପତ୍ନୀ ଶ୍ରୀୟା ନେତମ ରକ୍ତଦେବା ପାଇଁ ଆଗେଇ ଆସିଥିଲେ। ତୁରନ୍ତ ସେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ। ଏହି ରକ୍ତ ବୃଦ୍ଧ ପ୍ରମୋଦଙ୍କ ଜୀବନ ବଞ୍ଚାଇଛି। ପ୍ରମୋଦଙ୍କ ପରିବାର ଲୋକେ ଶ୍ରୀୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଘରୋଇ ହୋଇ ମଧ୍ୟ ପ୍ରବଳ ଗରମରେ ସେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ତାଂକର ଏହି ମହାନ ଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି କୁହାଯାଇଛି।