ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ ଭାଇରାଲ, ଚାକିରିରୁ ନିଲମ୍ବିତ ହେଲେ ବେଗୁନିଆ ଥାନା ମହିଳା ଏସ୍‌ଆଇ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ମହିଳା ଏସ୍‌ଆଇଙ୍କ ଉପରେ ୫-ଟି ଛାଟ ପଡ଼ିଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ଆଜି ବେଗୁନିଆ ଏସ୍‌ଆଇ ସୁଜାତା ପଲେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୁଜାତା ପଲେଇ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସ୍‌ପି ଶ୍ରୀ ସ୍ୱାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଭାଇରାଲ ଅଡିଓରୁ ଜଣାପଡ଼ିଛି ଯେ, ଗତ ୧୨ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହିର ଯୁବକ ରାହୁଲ ସ୍ୱାଇଁ ସାଙ୍ଗ ଅଶୋକ ମହାପାତ୍ରଙ୍କ ସହିତ ଏକ ମୋଟର ସାଇକେଲରେ ନିଜ ୧୭ ବର୍ଷୀୟ ପ୍ରେମିକାକୁ ଦେଖାକରିବା ପାଇଁ ଦକ୍ଷିଣପରିକ୍ଷୀତା ଗାଁକୁ ଯାଇଥିଲେ। ଦୁଇ ସାଙ୍ଗ ଦକ୍ଷିଣପରିକ୍ଷୀତା ଗାଁରେ ପହଞ୍ଚିବା ପରେ ଗାଁ ମୁଣ୍ଡ ପୋଖରୀ ନିକଟରେ ଗାଡ଼ିର ହର୍ନ ବଜାଇଥିଲେ। ସେହି ସମୟରେ ନାବାଳିକା ପ୍ରେମିକା ପୋଖରୀରେ ଗାଧୋଉ ଥିଲେ। ଗାଡ଼ିର ହର୍ନ ଶୁଣି  ନାବାଳିକା ଆସିଥିଲେ। ଏହି ସମୟରେ ନାବାଳିକାଙ୍କୁ ରାହୁଲ ଟଣାଓଟରା କରିଥିଲା। ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ପ୍ରଥମେ ରାହୁଲ ଓ ଅଶୋକଙ୍କୁ କାବୁ କରିନେଇଥିଲେ ଏବଂ ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ମାରିଥିଲେ। ଉତ୍ତ୍ୟକ୍ତ ଗାଁ ଲୋକେ ରାହୁଲଙ୍କ ମୋଟର ସାଇକେଲକୁ ଭାଙ୍ଗି ଦେଇଥିଲେ। ପରେ ସେମାନେ ଦୁଇ ଯୁବକଙ୍କୁ ପୁଲିସ ହାତରେ ଜିମା ଦେଇଥିଲେ।

ଘଟଣା ପରେ ଯୁବକଙ୍କ ପରିବାର ଲୋକେ କେସ୍‌ ରଫାଦଫା କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଏସ୍‌ଆଇ ସୁଜାତା ପଲେଇଙ୍କୁ ଭେଟିଥିଲେ। ଏହି କେସ୍‌ର ସମାଧାନ ପାଇଁ ସୁଜାତା ସଂପୃକ୍ତ ପରିବାରକୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ପରିବାର ଲୋକେ ସୁଜାତାଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ପ୍ରଥମ ଦିନ କିଛି ଟଙ୍କା ଲାଞ୍ଚ ଦେଇଥିବା ବେଳେ ବାକି ଟଙ୍କା ପରେ ଦେବାକୁ କହିଥିଲେ। କିନ୍ତୁ ପରଦିନ ଲାଞ୍ଚ ଟଙ୍କା ନେଇ ପରିବାର ଲୋକେ ନ ଆସିବାରୁ ଫୋନ୍‌ କରିଥିଲେ। ସେ ଯୁବକଙ୍କ ପରିବାରକୁ ଧମକ ଦେବା ପରେ ମାମଲାକୁ ପୋସ୍କୋ ଆଇନରେ ମାମଲା ରୁଜୁ କରିଦେଇଥିଲେ।

ସୂଚନାଯୋଗ୍ୟ, ରାହୁଲ ନାବାଳିକାକୁ ଭଲ ପାଇବା ଆଳ ଦେଖାଇ ଗତ ବର୍ଷ ଅପହରଣ କରିଥିଲା। ସେ ନାବାଳିକାଙ୍କୁ ପ୍ରାୟ ୧୫ ଦିନ ଯାଏଁ ନିଜ ପାଖରେ ରଖିବା ପରେ ପୁଣି ଛାଡ଼ି ଦେଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର