ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତ ବଡ଼ଡୁଙ୍ଗୁରିପାଲି ଗାଁର ସୁଶାନ୍ତ ମେହେରଙ୍କ ପତ୍ନୀ ରଶ୍ମିତା ମେହେରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରଶ୍ମିତାଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ବଲାଙ୍ଗୀର ସଦର ବ୍ଲକ୍ ଚୁଡ଼ାପାଲି ଗାଁର ସୁରେନ୍ଦ୍ର ମେହେର ଦେଓଗାଁ ଥାନାରେ ଏତଲା ଦେଇଛନ୍ତି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ ରଶ୍ମିତା ଓ ସୁଶାନ୍ତଙ୍କ ବିବାହ ହୋଇଥିଲା। ବିବାହ ପରେ ବିଭିନ୍ନ ସମୟରେ ଶ୍ବଶୁର ଘର ଲୋକେ ରଶ୍ମିତାଙ୍କୁ ଯୌତୁକଜନିତ ନିର୍ଯାତନା ଦେଉଥିଲେ। ବୁଧବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରଶ୍ମିତାଙ୍କ କାକାଶ୍ବଶୁରଙ୍କଠାରୁ ଝିଅର ଅବସ୍ଥା ଶୋଚନୀୟ ବୋଲି ସୁରେନ୍ଦ୍ର ଫୋନ୍ ଯୋଗେ ଖବର ପାଇଥିାଲେ। ତୁରନ୍ତ ଝିଅ ଘରକୁ ଆସିବାରୁ ଘର ଭିତରେ ରଶ୍ମିତାଙ୍କ ଶବ ପଡ଼ିଥିବା ଦେଖିଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖି ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ରଶ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି। ଶବର ଫଟୋ ଉଠାଇବା ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଦେଓଗାଁ ଓଆଇସି ରଞ୍ଜନ ବରିହା ପରେ ଫଟୋ ନେବ କହି ଶବ ପଡ଼ିଥିବା କୋଠରିର କବାଟ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bgr.jpg)