ଝାରସୁଗୁଡ଼ା: ଖେଳୁଥିବା ଭଣଜାକୁ ବଞ୍ଚାଇବାକୁ ଯାଇ ଭଣଜା ସହିତ ଟ୍ରେନ୍‌ରେ କଟିଗଲେ ମାଇଁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନୂଆପଡ଼ା ଠାରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହାଓ୍ଵାଡ଼ା- ଅହମ୍ମଦାବାଦ ଟ୍ରେନ୍‌ ଧକ୍କାରେ ସମ୍ପର୍କୀୟ ମାଇଁ ଓ ୪ ବର୍ଷର ଭଣାଜାର ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନରେ ଖେଳୁଥିବା ନିଖିଲ ଗୁପ୍ତା ନାମକ ଏହି ୪ ବର୍ଷର ସମ୍ପର୍କୀୟ ଭଣଜାକୁ ବଞ୍ଚାଇବାକୁ ଯାଇ ନିଖିଲଙ୍କ ସହିତ ବେବି ଗୁପ୍ତା ନାମକ ତାଙ୍କ ସମ୍ପର୍କୀୟ ମାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟଛି।

ସୂଚନାରୁ ପ୍ରକାଶ ଯେ, ବେଲପାହାଡ଼ ଗୁମାଡ଼େରା ମନ୍ଦିରରେ ଗତକାଲି ଲାଲଜୀ ଗୁପ୍ତାଙ୍କ ଏକ ପାରିବାରିକ ଉତ୍ସବ ଥିବାରୁ ତାଙ୍କ ସଂପର୍କିୟ ଭଉଣୀ ଓ ତାଙ୍କ ସ୍ୱାମୀ ଧନଞ୍ଜୟ ଗୁପ୍ତା ବ୍ରଜରାଜନଗର ଲମଟିବାହାଲରୁ ସେଠାକୁ ଯାଇଥିଲେ। ଆଜି ସକାଳେ ଧନଞ୍ଜୟଙ୍କ ଶିଶୁପୁତ୍ର ନିଖିଲ ଖେଳୁଥିବା ବେଳେ ସମସ୍ତଙ୍କ ଅଜାଣତରେ ପାଖରେ ଥିବା ଟ୍ରେନ୍‌ ଲାଇନ ଉପରକୁ ଚାଲି ଆସିଥିଲା। ଏହି ସମୟରେ ସେହି ଟ୍ରାକ୍‌ରେ ହାଓ୍ଵାଡ଼ା-ଅହମ୍ମଦାବାଦ ଟ୍ରେନ୍‌ ଆସୁଥିବା ଦେଖି ଲାଲଜୀଙ୍କ ସ୍ତ୍ରୀ ବେବି ଗୁପ୍ତା(୪୫) ଦୌଡ଼ି ଦୌଡ଼ି ଯାଇ ଶିଶୁପୁତ୍ରଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରେନ୍‌ଟି ଉଭୟଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଶିଶୁ ପୁତ୍ରଟିର ଟିଆର୍‌ଏଲ୍‌ ହସପିଟାଲରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଜିଆର୍‌ପିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର