କୋଇଡ଼ା : କୋଇଡ଼ା ଥାନା ଅନ୍ତର୍ଗତ ଅରାଘାଟ ଜଙ୍ଗଲରୁ ଆଜି ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ଶବ ଜବତ କରିଛି। ଅରାଘାଟ ଗ୍ରାମର ଦୁଲାନି ବାର୍ଲା (୩୫) ଗତକାଲି ନିକଟସ୍ଥ ଜଙ୍ଗଲକୁ ଦାନ୍ତ କାଠି ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଫେରିବା ବିଳମ୍ବ ହେବାରୁ ଘରେ ଥିବା ଦୁଇ ଝିଅ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା ।
ଆଜି ଗାଁ ଲୋକ ଶୌଚ ହେବାକୁ ଯାଇଥିବାବେଳେ ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ଦୁଇ ଭଉଣୀ ଘଟଣାସ୍ଥଳରେ ପହଞ୍ଚି ନିଜ ମା’ଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଖବର ପାଇ କୋଇଡା ପୁଲିସ ଘଟଣାସ୍ଥଳରୁ ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଗତ କିଛି ବର୍ଷ ତଳେ ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ହୋଇଥିଲା। ମା’ ଦିନ ମଜୁରି କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମା’ ଚାଲିଯିବା ପରେ ଦୁଇ ଭଉଣୀ ଅନାଥ ହୋଇଯାଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ଭଉଣୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।