ନେସ୍କୋ ଅଫିସ ଘେରିଲେ ମହିଳା: ବିଦ୍ୟୁତ ସଂଯୋଗ କାଟି ଦେବାରୁ ତାତିଲେ ଗ୍ରାମବାସୀ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟା କୁମୁଟିଆ ଗ୍ରାମରେ ବିଜୁଳି ବିଲ ନ ଦେଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିବାରୁ ମହିଳାମମାନେ ତାତିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ଆଜି ବାଂଶପାଳ ବ୍ଳକ୍ ନେସ୍କୋ କାର୍ଯ୍ୟାଳୟ ଘେରିବା ସହିତ ଧାରଣା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ହେବ ବିଭାଗୀୟ କର୍ମଚାରୀ ବିଲ ଦେଇ ନ ଥିବାରୁ ଗ୍ରାମବାସୀ ବିଲ ପଇଠ କରିପାରି ନଥିଲେ। ବିଦ୍ୟୁତ ସଂଯୋଗ କାଟିବା ଆଗରୁ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇ ନ ଥିଲା। ଫଳରେ ବିଦ୍ୟୁତ ସେବା ପାଇବାରୁ ବଂଚିତ ହୋଇଥିଲେ। ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ଗ୍ରାମର ଶତାଧିକ ମହିଳା ବାଂଶପାଳ ନେସ୍କୋ ଅଫିସ ଘେରାଉ କରିବା ସହ ବିଦ୍ୟୁତ ସଂଯୋଗ କରିବା ପାଇଁ ଦାବି କରିଥିଲେ।ଏହି ଘଟଣା ବିଷୟରେ ଅବଗତ ହେବା ପରେ ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ବାଂଶପାଳ ଇଲେକ୍ଟ୍ରିକାଲ ଜୁନିୟର ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିଲେ। ପରେ ଗ୍ରାମବାସୀଙ୍କ ସହିତ ମିଳିତ ଆଲୋଚନା କରିଥିଲେ।

ବର୍ତମାନ କରୋନା ସମୟରେ ଦୀର୍ଘ ମାସର ବିଲ ଏକକାଳୀନ ପଇଠ ନକରି ୨୦୦ ଟଙ୍କାର ବିଲ ପଇଠ କରି ବିଦ୍ୟୁତ ସଂଯୋଗ କରିବା ପାଇଁ କହିଥିଲେ। ତେବେ ପରେ ବାଂଶପାଳ ଇଲେକ୍ଟ୍ରିକାଲ ଜୁନିୟର ମ୍ୟାନେଜର ରାଜେନ କୁମାର ସାଓ ସଂଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମହିଳାମାନେ ଧାରଣାରୁ ଉଠିଥିଲେ। ୨୦୦ ଟଙ୍କାର ବିଲ ପଇଠ କରି ରସିଦ ନେବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର