ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ତେଜିଲା, ଜାଳିିଦେଲେ ୫୦୦ ଦେଶୀ ମଦ ପାଉଚ୍‌ 

ବାଉଁଶୁଣି: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଯମଟାଙ୍ଗି ଗ୍ରାମର ମହିଳାମାନେ ମଦ ବିରୋଧୀ ଅଭିଯାନକୁ ଜୋରଦାର କରିଥିବାର ଦେଖିବାକୁ ମିଳିଛି। ମହିଳାମାନେ ଶନିବାର ଦିନ ଏକତ୍ର ହୋଇ ମଦ ବିକ୍ରିକୁ ତୀବ୍ର ବିରୋଧ କରିଛନ୍ତି। ଜଣେ ବ୍ୟକ୍ତି ଗାଁରେ ବହୁଦିନ ହେଲା ମଦ ବିକ୍ରି କରି ଆସୁଥିଲେ। ଗାଁରେ ଅବାଧ ମଦ କାରବାର ଯୋଗୁଁ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଏହାର କୁପ୍ରଭାବ ଅନେକ ପରିବାର ଉପରେ ପଡୁଥିବା ନେଇ ସେମାନେ ଅଭିଯୋଗ କରି ଆସୁଥିଲେ। ଏସବୁ ସତ୍ତ୍ବେ ମଦବିକ୍ରି ବନ୍ଦ ନ ହେବାରୁ ଗାଁର ୱାଡ଼ ସଭ୍ୟା ପୁଷ୍ପାଞ୍ଜଳି ଦନାୟକଙ୍କ ନେତୃତ୍ୱରେ ଜୟ ଜଗନ୍ନାଥ, ବୁଢ଼ୀ ବାଉରୀ, ସୃଜନିକା ଆଦି ମହିଳା ଗୋଷ୍ଠୀର ମା’ ମାନେ ଏକତ୍ରିତ ହୋଇ ମଦ ନେଇ ଆସୁଥିବା ମଦ ବ୍ୟବସାୟୀକୁ ଧରିଥିଲେ।
ତେବେ କୌଶଳ କ୍ରମେ ମଦ ବ୍ୟବସାୟ କରୁଥିବା ବ୍ୟକ୍ତି ଜଣକ ଖସି ଫେରାର ହୋଇ ଯାଇଥିବା ବେଳେ ମହିଳାମାନେ ପ୍ରାୟ ୫ଶହ ଦେଶୀ ମଦ ପାଉଚକୁ ଜବତ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ଆସି ମଦ ବିରୋଧୀ ସ୍ଲୋଗାନ ଦେବାସହ ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗକୁ ମଦ କାରବାର ବନ୍ଦ କରିବାର ଚେତାବନୀ ଦେଇଥିଲେ। ଏଥି ସହିତ ଜବତ କରିଥିବା ସମସ୍ତ ମଦ ପାଉଚଗୁଡିକୁ ବେପାରୀର ଘର ଆଗରେ ହିଁ ନିଆଁ ଲଗାଇ ପୋଡି ଦେଇଥିଲେ। ଏହା ପରେ ବି ଯଦି ମଦ କାରବାର ଚାଲୁ ରହେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିବା ସଙ୍ଗେ ସଙ୍ଗେ ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସମ୍ବନ୍ଧିତ ଖବର