ପାରଳାଖେମୁଣ୍ତି : ପାରଳା ପୌରପାଳିକାର ଅଧ୍ୟକ୍ଷ ପଦବି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସ˚ରକ୍ଷିତ ଘୋଷଣା ହେବା ପରେ ଅନେକ ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ ନିରାଶ ହୋଇପଡ଼ିଛନ୍ତି। ସେହିଭଳି, ଜିଲ୍ଲାର ଏକମାତ୍ର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦବି ମହିଳାଙ୍କ ପାଇଁ ସ˚ରକ୍ଷିତ ହୋଇଛି । ପାରଳା ପୌରପାଳିକାର ଅଧ୍ୟକ୍ଷ ହେବା ପାଇଁ ବିଜେଡି ଏବ˚ ବିଜେପିର ଆଶାୟୀଙ୍କ ତାଲିକା ବହୁ ଲମ୍ବା ଥିବା ବେଳେ କ˚ଗ୍ରେସ ଦଳ ମଧ୍ୟ ସୀମିତ ନଥିଲା । ଏଣୁ, ୩ଟି ଯାକ ରାଜନୈତିକ ଦଳର ବିଭିନ୍ନସ୍ତରର ନେତା ଓ ନେତ୍ରୀମାନଙ୍କର ଆଶା ମଉଳି ଯିବା ସହ ଏହାକୁ ପ୍ରତିବାଦ କରି ଅଭିଯୋଗ ପତ୍ର ୧୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦେବା ପାଇଁ ପ୍ରସ୍ତୁତି ବର୍ତ୍ତମାନ ଆରମ୍ଭ ହୋଇଗଲାଣି ।
ବିଜୁ ଜନତା ଦଳର ଆଶାୟୀ ତାଲିକାରେ ଥିଲେ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, ସୁଶ୍ରୀ କଲ୍ୟାଣୀ ଗଜପତି, ଜି.ବିଜୟ କୁମାର ଓରଫ ଚିନ୍ନି, ଇ˚.ରୂପେଶ ପାଣିଗ୍ରାହୀ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ଦାଶ। ସେହିଭଳି, ବିଜେପିର ତାଲିକାରେ ଆଶାୟୀଙ୍କ ପ୍ରାର୍ଥୀ ମଧ୍ୟରେ ଥିଲେ ପୂର୍ବତନ ନଗରପାଳ ନୃସି˚ହ ଚରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଜି.ଭେଙ୍କଟ ରାବାଣା, ପୂର୍ବତନ ନଗରପାଳ ତିରୁପତି ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା, ପୂର୍ବତନ କାଉନସିଲର ହରିବାଦା।
କଂଗ୍ରେସର ଆଶାୟୀମାନଙ୍କ ମଧ୍ୟରେ ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ଯୁବ କ˚ଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, କେ.ରାମସ୍ବାମୀ, ବସନ୍ତ ପଣ୍ତା, ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପୁଅ ମନୋଜ ସାହୁ ଥିଲେ। ପୌରପାଳିକା ଅଧ୍ୟକ୍ଷା ନିର୍ବାଚନ ପ୍ରତ୍ୟକ୍ଷ ଭାବେ ଅର୍ଥାତ୍ ଭୋଟରମାନେ ସିଧାସଳଖ ଏହି ପଦବିରେ ଭୋଟ ଦେବାର ସୁଯୋଗ ପାଇବେ। ଅନେକ ପ୍ରାର୍ଥୀ ନିଜକୁ ଦୌଡ଼ରେ ସାମିଲ କରିଥିଲେ ଓ ଜନସାଧାରଣଙ୍କ ମତାମତ ସ˚ଗ୍ରହ କରୁଥିଲେ। ସ˚ରକ୍ଷଣ ତାଲିକା ଘୋଷଣା ହେବା ପରେ ନିରାଶ ହୋଇଥିବା ବ୍ୟକ୍ତିତ୍ବମାନେ କାଳେ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହେବ ବୋଲି ଆଶା ବାନ୍ଧିଛନ୍ତି ।
ପାରଳା ପୌରପାଳିକାରେ ପ୍ରାୟ ୩୨ ହଜାର ଭୋଟରଙ୍କ ମଧ୍ୟରୁ ଅନୁସୂଚିତ ଜାତିଙ୍କ ସ˚ଖ୍ୟା ମାତ୍ର ୧୫ ପ୍ରତିଶତ । ବିଗତ ୫ଟି ପୌରପାଳିକା ନିର୍ବାଚନରେ ଅଧ୍ୟକ୍ଷ ଆସନଟି କେବେ ହେଲେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସ˚ରକ୍ଷିତ ନଥିଲା । ଅନ୍ୟପକ୍ଷରେ, କାଶୀନଗର ଏନଏସି ରେ ଅନୁସୂଚିତ ଜାତି ଭୋଟରଙ୍କ ସ˚ଖ୍ୟା ପ୍ରାୟ ୩୦ ପ୍ରତିଶତ ଥିବା ସତ୍ତ୍ବେ ଏହାକୁ କେବଳ ମହିଳା ପାଇଁ ସଂରକ୍ଷିତ ରଖାଯାଇଛି । ବିଜେଡିର ଅନେକ ନେତା ଆଶା ରଖିଛନ୍ତି ଯେ ଜିଲ୍ଲାର ଦୁଇଟି ଯାକ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇ ସ˚ରକ୍ଷିତ ହୋଇଥିବା ଯୋଗୁଁ ଏହାର ପରିବର୍ତ୍ତନର ଆଶା ଉଜ୍ଜ୍ବଳ । ଏଣୁ, ପୌରପାଳିକା ଅଧ୍ୟକ୍ଷ ପଦବିଟିକୁ ଅସ˚ରକ୍ଷିତ କରିବା ପାଇଁ କ˚ଗ୍ରେସର ସଞ୍ଜୟ ଅଧିକାରୀ ଦାବି କରିଛନ୍ତି।
୨୦୧୩ ପୌର ନିର୍ବାଚନ ବେଳେ କ˚ଗ୍ରେସର ଏମ୍.ଲଳିତା ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବିଜେଡିକୁ ଏକ ଶକ୍ତ ଧକ୍କା ଲାଗିଛି। ୨୦୦୮ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପି.କ୍ରିଷ୍ଣା ଅଧ୍ୟକ୍ଷ ହୋଇ ୫ ବର୍ଷ ଏହି ପଦବିରେ ଆସୀନ ହୋଇଥିଲେ। ୨୦୦୩ରେ ବିଜେପି ଓ ବିଜେଡି ମିଳିତ ଭାବେ ତିରୁପତି ନାୟକଙ୍କୁ ଅଧ୍ୟକ୍ଷ କରିଥିବା ବେଳେ ୧୯୯୭ରେ ଟି. କଳାବତୀ (ପଛୁଆ ବର୍ଗ) ମହିଳା ପ୍ରାର୍ଥୀ ଭାବେ ଅଧ୍ୟକ୍ଷା ହୋଇଥିଲେ। ଏଥି ପୂର୍ବରୁ ୧୯୯୨ ପ୍ରତ୍ୟକ୍ଷ ନିର୍ବାଚନରେ ସେତେବେଳେର କ˚ଗ୍ରେସ ଯୁବନେତା ନୃସି˚ହ ଚରଣ ପଟ୍ଟନାୟକ ଜନତା ଦଳ ପ୍ରାର୍ଥୀ ରାମନାଥ ମିଶ୍ରଙ୍କୁ ପରାଜୟ କରିଥିଲେ । କିନ୍ତୁ, ସେ ଏହି ଆସନରେ ମାତ୍ର ୩ ବର୍ଷ ବସିପାରିଥିଲେ । ୧୯୮୪ ମସିହାରେ ସିପିଆଇ(ଏମ)ର ସ୍ବ୍ବର୍ଗତ ରାମଗୋପାଳ ରାଓ ଜନତା ଦଳ ସହ ହାତ ମିଳାଇ ଅଧ୍ୟକ୍ଷ ହୋଇପାରିଥିଲେ । ତାଙ୍କ ପୂର୍ବରୁ ସ୍ବର୍ଗତ ତ୍ରିନାଥ ସାହୁ ୩ ଥର ନଗରପାଳ ପଦବି ଅଳଙ୍କୃତ କରିଥିଲେ ।
ବିଗତ ୪୫ ବର୍ଷ ମଧ୍ୟରେ ଯେଉଁ ବ୍ୟକ୍ତିତ୍ବମାନେ ପାରଳା ପୌରପାଳିକାର ଅଧ୍ୟକ୍ଷ ଅଧ୍ୟକ୍ଷା ପଦବିରେ ନିର୍ବାଚିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ସ୍ବର୍ଗତ ତ୍ରିନାଥ ସାହୁ ଓ ସ୍ବର୍ଗତ ପି.କ୍ରିଷ୍ଣାଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ପାରଳା ରାଜନୀତିରେ କିମ୍ବା ଗଜପତି ଜିଲ୍ଲାର ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଲେ ନାହିଁ । ରାମଗୋପାଳ ଯଦିଓ ବାମ ଦଳର ଜଣେ ପ୍ରମୁଖ ନେତା ଭାବେ ଶେଷ ଜୀବନ ପର୍ଯ୍ୟନ୍ତ ପରିଚୟ ସୃଷ୍ଟି କରି ପାରିଥିଲେ, ନିର୍ବାଚିତ ପଦବିରେ ସେ ଆଉ ସାଫଲ୍ୟ ହାସଲ କରିପାରିଲେ ନାହିଁ । ବର୍ତ୍ତମାନ, ପୂର୍ବତନ ନଗରପାଳ ନୃସି˚ହ ଚରଣ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଏମ୍.ଲଳିତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପଦବି ଗଲା ତ ରାଜନୈତିକ ପ୍ରଭାବ ବି ଲୀନ ହୋଇଗଲା । ଏଣୁ, ଆଗାମୀ ଦିନ ହିଁ କେଉଁ ଦଳ ସୁଫଳ ପାଇବ ଜଣାପଡ଼ିବ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର