ଫୁଲବାଣୀ: ସଂପ୍ରତି ମହାମାରୀ କରୋନା ବିଶ୍ବରେ ଆତଙ୍କ ଖେଳାଇଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁହାର ବଢି ଚାଲିଛି। ଓଡିଶାରେ କାହାର ମୃତ୍ୟୁ ହୋଇ ନଥିବା ବେଳେ ଆକ୍ରାନ୍ତ ସଂଖ୍ୟା ସଂଖ୍ୟା ୫ରେ ପହଞ୍ଚିଛି। ସମଗ୍ର ଓଡିଶାରେ କରୋନାକୁ ନେଇ ସଚେତନତା ଓ ସତର୍କତା ଜାରି ରହିଛି। କନ୍ଧମାଳ ଭଳି ଏକ ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାରେ ଲୋକମାନେ କରୋନା ସଚେତନତା ଓ ସତର୍କତା ନେଇ ଭଲ ଭାବେ ଅବଗତ ଅଛନ୍ତି। କାରଣ କରୋନା ଲକ୍ ଡାଉନରେ ଗାଁରୁ ସହର ସବୁ ଆଡେ ଶୂନଶାନ ପରିବେଶ ଅବଗତ ଥିବା ସୂଚାଉଛି। ହେଲେ ଏହା ମଧ୍ୟରେ ପ୍ରତିଦିନ ବଡି ଭୋରରେ ମହିଳାମାନେ ବହୁ ଦୂରରୁ ଚାଲିଚାଲି ଜାଳେଣି କାଠ ଧରି ବିକ୍ର କରିବାକୁ ସହର ଆସିବା ବନ୍ଦ ହୋଇ ପାରି ନାହିଁ। ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏସବୁ ଯୋଜନା ଯଥେଷ୍ଟ ନୁହେଁ। ତେଣୁ ପାରମ୍ପରିକ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବାକୁ ପଡୁଛି। ବିକିବା ପରେ ଯାହା ଅର୍ଥ ମିଳେ ସେଥିରେ ପରିବାର ଚଳିଥାଏ ବୋଲି ସେମାନେ କହନ୍ତି।
କନ୍ଧମାଳ ଜିଲ୍ଲାରେ ଏମିତି ଶତାଧିକ ଗାଁ ରହିଛି ଯେଉଁଠି ସରକାରୀ ଯୋଜନା ପହଞ୍ଚି ପାରି ନାହିଁ। ଏଭଳି ଗାଁ ଗୁଡିକର ଗ୍ରାମବାସୀ ବାଧ୍ୟ ହୋଇ ଜଙ୍ଗଲଜାତ ଦ୍ରବ୍ୟ ସଂଗହ କରୁଛନ୍ତି। ସେସବୁକୁ ସହରରେ ବିକ୍ରି କରି କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ଜାଳେଣି କାଠ ଅନ୍ୟତମ। ଜାଳେଣି କାଠ ସଂଗ୍ରହ କରିବା ଅନ୍ୟଠାରୁ ସହଜ। ବିକ୍ରି ପରେ ସଙ୍ଗେସଙ୍ଗେ ଟଙ୍କା ହାତକୁ ମିଳିଥାଏ। ତେଣୁ ପୁରୁଷ,ମହିଳା ଓ ଛୋଟ ପିଲା ଜଙ୍ଗଲ ଯାଇ ଜାଳେଣି କାଠ ସଂଗ୍ରହ କରିଥାନ୍ତି। ତାପର ଦିନ ବଡ ଭୋରରୁ ପୁରୁଷମାନେ କାନ୍ଧରେ ଓ ମହିଳମାନେ ମୁଣ୍ଡରେ କାଠ ମୁଣ୍ଡାଇ ସହରକୁ ବିକ୍ରି କରିବାକୁ ଆସିଥାନ୍ତି। ଜଳଖିଆ ଦୋକାନ ଓ ଛୋଟ ହୋଟେଲଗୁଡିକରେ ଜାଳେଣି କାଠର ଚାହିଦା ଥିବାରୁ ବିକ୍ରି କରିବାରେ କିଛି ଅସୁବିଧା ନଥାଏ। ବିକ୍ରି କରି ଟଙ୍କା ନେଇ ଘରକୁ ଫେରନ୍ତି। ଖାଇ ପିଇ ପୁଣି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହରେ ବାହାରି ପଡନ୍ତି। କରୋନା ଭୟ ସତ୍ତ୍ବେ ପୂର୍ବଭଳି ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରକୁ କାଠ ମୁଣ୍ଡରେ ମୁଣ୍ଡାଇ ମହିଳାମାନେ ବିକ୍ରି କରିବାକୁ ଆସୁଛନ୍ତି।
ଏ ନେଇ ଆଜି ପ୍ରାତ ଭ୍ରମଣ ସମୟରେ କେତେ ଜଣ ମହିଳାଙ୍କୁ କରୋନା ବିଷୟରେ ଜାଣିଛ କି ବୋଲି ପଚାରା ଯାଇଥିଲା। ଏହା ଏକ ମହାମାରୀ ରୋଗ ବୋଲି ଜାଣିଥିବା କଥା ସେମାନେ କହିଥିଲେ। ହେଲେ କାଠ ବିକ୍ରି କରିବାକୁ ନ ଆସିଲେ ପରିବାର ଚଳିବା କଷ୍ଟ ହେବ ବୋଲି ବିଲାବାଡି ଅଞ୍ଚଳର ମମତା ମଲିକ ଓ ଗୁରୁବାରୀ କହଁର କହିଥିଲେ। ସରକାରୀ ସାହାଯ୍ୟ କହିଲେ କିଛି ଚାଉଳ। ଆଉ କଣ ମିଳୁଛି ବୋଲି ପ୍ରଶ୍ନ କରିଥିଲେ ତଅପୋଇ କହଁର ଓ ବିନିତା ଦିଗାଲ। ଜାଳେଣି କାଠ ସଂଗ୍ରହ ଓ ବିକ୍ରି ନ କଲେ ପରିବାର ଚଳିବା ବଡ କଷ୍ଟକର ହୋଇ ପଡିବ। ତେଣୁ କରୋନା କଟକଣା ଓ ପୁଲିସର ତନାଘନା ପାଇଁ ସକାଳୁ ସହଳ ଆସି ବିକ୍ରି କରି ଘରକୁ ପଳାଇ ଯାଉଛନ୍ତି ବୋଲି ମହିଳାମାନେ କହିଛନ୍ତି।