ନକ୍ସଲଙ୍କୁ ଜବାବ ଦେବେ ଦନ୍ତେଶ୍ବରୀ ମହିଳା କମାଣ୍ଡୋ

ମାଲକାନଗିରି : ଆଉ ଦୁଇ ଦିନ ପରେ ନକ୍ସଲଙ୍କ ସହିଦ ସପ୍ତାହ । ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ନକ୍ସଲ ମନାଇବେ। ତେଣୁ ନକ୍ସଲ ବିଭିନ୍ନ ଗ୍ରାମରେ ସହିଦ ସ୍ତମ୍ଭ ନିର୍ମାଣ କରିବା ସହ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆହ୍ବାନ କରିଛନ୍ତି। ତେବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡରେ ଦନ୍ତେଵାଡା ଜିଲ୍ଲାରେ ଏବେ ମହିଳା କମାଣ୍ଡୋଙ୍କ ଏକ ଗୋଷ୍ଠୀ ନକ୍ସଲଙ୍କୁ ଜବାବ ଦେବାକୁ ଜଂଗଲରେ ପଶିଛି।ବର୍ଷା ଋତୁକୁ ଖାତିର ନକରି ମହିଳା କମାଣ୍ଡୋମାନେ ନଦୀ ନାଳ ପାର କରି ନକ୍ସଲଙ୍କୁ ସାମ୍ନା କରିବାକୁ ଆଗେଇ ଚାଲିଛନ୍ତି। ମହିଳା କମାଣ୍ଡୋଙ୍କ ଏହି ଗୋଷ୍ଠୀକୁ ଦନ୍ତେଶ୍ବରୀ କମାଣ୍ଡ ବୋଲି ନାମ ଦିଆଯାଇଛି। ଦନ୍ତେଵାଡା ଜିଲ୍ଲାରୁ ସଂପୂର୍ଣ୍ଣ ନକ୍ସଲଙ୍କୁ ଦମନ କରିବାକୁ ଏହି ମହିଳା କମାଣ୍ଡୋମାନେ ବାହାରି ପଡିଛନ୍ତି।

ଅପରେସନ ମନସୁନ ନାମରେ ଏହି ନକ୍ସଲ ଅଭିଯାନ ଆରମ୍ଭ କରାଯାଇଛି।ସୂଚନାଯୋଗ୍ୟ ଯେ,  ବର୍ଷା ଋତୁରେ ନକ୍ସଲ ନଦୀ ପାର କରି ଦୁର୍ଗମ ଗ୍ରାମରେ ନିଜର ଅଡ୍ଡା ବନାଇବା ସହ ସେଠାରେ ହିଁ ତାଲିମ ନେଉଛନ୍ତି। କାରଣ ନଦୀ ପାର କରି ଯବାନ ଏହି ଗ୍ରାମକୁ ଆସିବେ ନାହିଁ ଭାବି ଏଠାରେ ସେମାନେ ସୁରକ୍ଷିତ ସ୍ଥାନ ଭାବି ରହୁଛନ୍ତି।ଏହି ଦୁର୍ଗମ ଗ୍ରାମରେ ରହି ନକ୍ସଲ ନିଜର ରଣନୀତି ପ୍ରସ୍ତୁତ କରିବା ସହ ଶତ୍ରୁକୁ ଦମନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

କିନ୍ତୁ ଦନ୍ତେଶ୍ବରୀ ଫାଇଟର ମହିଳା କମାଣ୍ଡୋମାନେ ନଦୀ ପାର କରି ଏହି ଗ୍ରାମରେ ପଶି ଏଠାରେ ନିର୍ମାଣ କରାଯାଇଥିବା ସହିଦସ୍ତମ୍ଭଗୁଡିକକୁ ଭାଙ୍ଗି ଧ୍ବଂସ କରୁଛନ୍ତି।ଏଥିସହ ନକ୍ସଲମାନଙ୍କୁ ଗିରଫ କରାଯାଉଛି ଏବଂ ସେମାନଙ୍କ ଗଡ଼ରେ ହିଁ ସେମାନଙ୍କୁ ଧ୍ବସ୍ତ କରାଯାଉଛି। ପୂର୍ବରୁ ବର୍ଷା ଦିନେ ଯବାନ କମ୍ କୁମ୍ବିଂ କରୁଥିବା ବେଳେ ନକ୍ସଲ ଏହାର ସୁଯୋଗ ନେଇ ଦୁର୍ଗମ ଗ୍ରାମରେ ରହି ନିଜର ଗତିବିଧିକୁ ଦୃଢ କରିପାରୁଥିଲେ।ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାହାଡିଆ ନଦୀ ନାଳଗୁଡିକ ଏବେ ଭରିଯିବା ସହ ଏହି ନଦୀରେ ଯିବା ଆସିବା କଷ୍ଟକର ହୋଇପଡେ।ମହିଳା କମାଣ୍ଡୋମାନଙ୍କୁ କିପରି ନଦୀ ପାର କରିବେ,ବିଜୁଳି ମାରିଲେ କିପରି ବଂଚିବେ,ଜଂଗଲରେ ସାପ ଦାଉରୁ କିପରି ରକ୍ଷା ପାଇବେ,ଜଂଗଲରେ ଦୀର୍ଘ ଦିନ ବିତାଇବା ବେଳେ କିପରି ନିଜକୁ ସୁରକ୍ଷିତ ରଖିବେ,କଣ ଖାଇବେ ଏସବୁ ତାଲିମ ପ୍ରଦାନ କରାଯାଇଥାଏ।ଆସନ୍ତା ମନସୁନ ପର୍ଯ୍ୟନ୍ତ ଯବାନ ଏଭଳି କମ୍ବିଂକୁ ଜୋରଦାର କରିବେ ବୋଲି କୁହାଯାଇଛି। ନକ୍ସଲଙ୍କୁ ଆଉ ବର୍ଷା ଋତୁରେ ସହଜରେ ଟାର୍ଗେଟ କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।

ମହିଳା କମାଣ୍ଡୋଙ୍କ ଏହି ହମଲାରେ ନକ୍ସଲ ବ୍ୟାକଫୁଟକୁ ଚାଲିଯାଇଛନ୍ତି ବୋଲି କୁହାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ୩୦ରୁ ଉର୍ଦ୍ଧ୍ବ ଗୁଳିବିନିମୟ ଘଟିବା ସହ ୪୦ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ମହିଳା କମାଣ୍ଡୋମାନେ ଜଂଗଲରେ ରହି ଅଲମ୍ପିକରେ ଭାଗ ନେଉଥିବା ୧୨୭ ଜଣ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ସମସ୍ତେ ଭାରତ ପାଇଁ ପଦକ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର