ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ହୀରାପୁର ଅଞ୍ଚଳରେ ଏକ ଇଟାଭାଟି ଝୁମ୍ପୁଡ଼ିରେ ରହୁଥିବା ଜଣେ ମହିଳାଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣଙ୍କ ହେଲେ ଆରତୀ ସିଂହ(୪୫)। ଆରତୀଙ୍କର ମୃତ୍ୟୁ କିଭଳି ଘଟିଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନଥିବା ପୁଲିସ କହିଛି। ତେବେ ଆରତୀଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି। ଭାଟିରେ ଅତ୍ୟଧିକ ପରିମାଣର ଦେଶୀମଦ ସେବନ କରି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ଶାରୀରିକ ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣ ଯୋଗୁ ତାଙ୍କର ମୃତ୍ୟୁ ଘଟି ଥାଇପାରେ ବୋଲି ଆଲୋଚନା ହେଉଛି।

ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ମୃତଦେହ ଜବତ କରି ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ନଂ ୨୭/୨୧ ରେ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆରତୀଙ୍କ ପରିବାର ଲୋକ ଅନ୍ୟତ୍ର ରହୁଥିଲେ। ଏଠାରେ ସେ ଏକାକୀ ରହୁଥିଲେ। ଇଟାଭାଟିରେ କାମ କରିବା ସହ ଛେଳି ଚରାଇ ପେଟ ପୋଷୁଥିଲେ। ତେବେ ଶବ ବ୍ୟବଚ୍ଛେଧ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର