ପୋଖରୀରେ ବୁଡି ମହିଳାଙ୍କର ମୃତ୍ୟୁ

ବୈପାରିଗୁଡା: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଗ୍ରାମର ରାମଚନ୍ଦ୍ର ଗାଦବା(୩୫) କୋଲାର ପଞ୍ଚାୟତର ଗଦରାଗୁଡା ଗ୍ରାମର ମୁକ୍ତା ଗାଦବାଙ୍କୁ(୩୦) ବିବାହ କରିଥିଲେ। ମୁକ୍ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ମାଙ୍କ ଘରକୁ ଆସି ବହୁତ ଦିନ ହେବ ରହି ଆସୁଥିଲେ। ସବୁଦିନ ଭଳି ସେ ଆଜି ମଧ୍ୟ ସକାଳ ୯ଟାବେଳେ ଗ୍ରାମ ନିକଟରେ ଥିବା ପୁରୁଣାପିଣି ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ।

ସେଠାରେ ଗାଧୋଇବା ସମୟରେ ଗୋଡ଼ ଖସିଯିବା କାରଣରୁ ପାଣି ଭିତରେ ବୁଡ଼ି ଯାଇଥିଲେ। ଏହା ଦେଖି ନିକଟରେ ଉପସ୍ଥିତ ଥିବା କିଛି ମହିଳା ଗାଁ ଲୋକଙ୍କୁ ଡାକିବାରୁ କିଛି ଲୋକ ପୋଖରୀ ନିକଟରେ ପହଞ୍ଚି ମୁକ୍ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ପୋଖରୀ କୂଳକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା।

ମୁକ୍ତାଙ୍କ ଭାଇ ଏବଂ ମାଆ ତୁରନ୍ତ ମହୁଲିରେ ରହୁଥିବା ମୁକ୍ତାଙ୍କ ସ୍ବାମୀ ରାମଚନ୍ଦ୍ର ଗାଦବାଙ୍କୁ ଏସଂପର୍କରେ ଫୋନ୍ ଯୋଗେ ଜଣାଇଥିଲେ। ରାମଚନ୍ଦ୍ର ତୁରନ୍ତ ଗଦରାଗୁଡା ପହଞ୍ଚି ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବୈପାରିଗୁଡା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ। ଅପରାହ୍ନ ୪ଟା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର