ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ନୂଆବଜାରରେ ଥିବା ଦେଶୀ ମଦଭାଟିକୁ ଉଛେଦ କରିବା ନେଇ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଶତାଧିକ ମହିଳା ଭାଟି ଭିତରକୁ ଧସେଇ ପଶିବା ସହ ଟେକା ପଥର ମାଡ଼ କରିଛନ୍ତି। ମହିଳାମାନଙ୍କ ଅଭିଯୋଗ ଅନୁସାରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ଗାନ୍ଧିନଗର ପଡ଼ା, ପାତିକାରପଡ଼ା, ନୂଆବଜାର କିଛି ଯୁବକ ମଦ୍ୟପାନ କରି କିଡନୀ ରୋଗରେ ପିଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏବେ ବି ଏହି ଅଞ୍ଚଳର କିଛି ଯୁବକ କିଡନୀ ରୋଗ ଯୋଗୁଁ ମୃତ୍ୟୁ ସହ ଲଢ଼େଇ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦଭାଟି ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ବ୍ୟାପକ ଆନ୍ଦୋଳନ ହେବା ସହ ଏହାକୁ ବଳପୂର୍ବକ ଭାଙ୍ଗି ଦିଆଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ମଦଭାଟି ଉଛେଦ ଏବଂ କୁଚିଆ (ଖୁଚୁରା) ମଦ ବିକ୍ରି ବନ୍ଦ ପାଇଁ ‘ଏସ୍ଏଚ୍ଜି’ର ମହିଳାମାନେ ବାରମ୍ବାର ପ୍ରଶାସନ ପାଖରେ ଦାବି କରୁଛନ୍ତି। କିନ୍ତୁ ମହିଳାମାନଙ୍କ ଏହି ଦାବିକୁ କେହି ବି ଶୁଣି ନ ଥିବାରୁ ସେମାନେ ଆଜି ଦେଶୀ ମଦଭାଟି ଭିତରକୁ ଧସେଇ ପଶିବା ସହ ଟେକା ପଥର ମାଡ କରି ହୋହାଲ୍ଲା କରିଛନ୍ତି।
ସୂଚନାଯୋଗ୍ୟ, ଏନ୍ଏସି ମୁଖ୍ୟ ରାସ୍ତା ନୂଆବଜାରଠାରେ ଥିବା ଦେଶୀ ମଦଭାଟି, ବିଦେଶୀ ମଦ ଦୋକାନ ଓ ବିଅର ପାର୍ଲରକୁ ଅନ୍ୟତ୍ର ସ୍ଥାନାନ୍ତର ଓ ଗାନ୍ଧିପଡ଼ା, ବେତ୍ରାପଡ଼ା, ଖୁଚୁରା ମଦ ଦୋକାନ ସହ କୋରେକ୍ସ, ଗଞ୍ଜେଇ କାରବାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀ ଉଦ୍ୟମ ଜାରି ରଖିଛନ୍ତି। କିଛି ଦିନ ପୂର୍ବରୁ ମହିଳାମାାନେ ରାଜ୍ୟ ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଓ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ଉଭୟ ମନ୍ତ୍ରୀ ଏହାର ପଦକ୍ଷେପ ନିଆଯିବ ବୋଲି ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।