ଫୁଲବାଣୀ : ଆଉ ବଣଜଙ୍ଗଲ ବୁଲିବେ ନାହିଁ। ନିଜେ କଠିନ ପରିଶ୍ରମ କରି ମାଟିରୁ ସୁନା ଅମଳ କରିବେ। କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳା କାଠ ଓ ଚେରମୂଳ ସଂଗ୍ରହ ପାଇଁ ଜଙ୍ଗଲରେ ନ ବୁଲି ନିଜ ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି। ଫୁଲବାଣୀ ସଦର ବ୍ଲକ୍ ଅନ୍ତର୍ଗତ ଶେଷାକେରା, ବୁଢ଼ାଦାନି ଭଳି ଗାଁରୁ ମୋଟ ୧୪୦ ଜଣ ଆଦିବାସୀ ମହିଳା ଚାଷୀ ଜିଲ୍ଲାର ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୭ ମସିହାରୁ ଏହିସବୁ ଗାଁରୁ ମୋଟ ୧୪୦ ଜଣ ଆଦିବାସୀ ମହିଳା ଜଙ୍ଗଲ ବୁଲା ଛାଡ଼ି ଏକ କୃଷିଜାତ ଉତ୍ପାଦ ଗୋଷ୍ଠୀ ଗଠନ କରିଥିଲେ। ଏ କ୍ଷେତ୍ରରେ ଫୁଲବାଣୀ ଆଇଟିଡିଏ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲା।
ଏହି ୧୪୦ ଜଣ ଆଦିବାସୀ ମହିଳା ଶପଥ କଲେ ସେମାନେ ପ୍ରଥମେ ଏହି ଆଦିବାସୀ ମହିଳାମାନେ ବାଇଗଣ, ଟମାଟର, କଞ୍ଚାଲଙ୍କା, ଶାଗ, କୋବି, ପିଆଜ ଭଳି ପନିପରିବା ଚାଷ ଆରମ୍ଭ କଲେ। ପ୍ରଥମବର୍ଷ ଫସଲ ଭଲ ଅମଳ ହେବାରୁ ସେମାନଙ୍କ ହାତକୁ ଭଲ ଦିପଇସା ଆସିଲା। ପରବର୍ଷ ସେମାନେ ବିନ୍ସ ଓ ଗ୍ରିନ୍ ମଟର ଭଳି ପନିପରିବା ଚାଷ ଆରମ୍ଭ କଲେ। ସେବର୍ଷ ସଫଳତା ହାସଲ କରିବା ପରେ ଗତବର୍ଷଠାରୁ ସେମାନେ ବ୍ରୋକଲି ଓ ଗାଜର ନୂଆକରି ଚାଷ କରିଛନ୍ତି। ଏହି ଦୁଇଟି ଫସଲରୁ ମଧ୍ୟ ସେମାନଙ୍କୁ ଭଲ ଲାଭ ମିଳିଛି ବୋଲି କହନ୍ତି ବୁଢ଼ାଦାନି ଗାଁର ଆଦିବାସୀ ମହିଳା ଚାଷୀ ଉମା ବେହେରା। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବିକା ମିସନ ଜରିଆରେ ସେମାନଙ୍କୁ ଏସବୁ ବିହନ ଏବଂ ଜ୍ଞାନକୌଶଳ ଯୋଗାଇ ଦିଆଗଲା। ଚଳିତବର୍ଷ ଏହି ୧୪୦ ଜଣ ଆଦିବାସୀ ମହିଳା ଚାଷୀ ଇଣ୍ଟର କ୍ରପିଂ (ମିଶ୍ର କୃଷି) ଜରିଆରେ ଏକ ସଙ୍ଗରେ ପାଞ୍ଚ ପ୍ରକାର ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ପାଖାପାଖି ୫୦ ଏକର ଜମିରେ ଏକ ସଙ୍ଗରେ ବିନ୍ସ, ବ୍ରୋକଲି, ଗାଜର, ପିଆଜ ଏବଂ ଶାଗ ଭଳି ପରିବା ଅମଳ ହୋଇପାରିଛି ବୋଲି ଅନ୍ୟ ଜଣେ ଆଦିବାସୀ ମହିଳା ଚାଷୀ ହେମାମାଳିନୀ ଦେହୁରୀ କହନ୍ତି।
/sambad/media/post_attachments/wp-content/uploads/2021/02/20210209_180155-1024x576.jpg)
ପାଞ୍ଚବର୍ଷ ତଳେ ସେମାନେ ଜଙ୍ଗଲରୁ ଜାଳେଣୀ କାଠ, ଫଳମୂଳ ସଂଗ୍ରହ କରୁଥିଲେ। ମାତ୍ର ଚାଷ କରିବା ଦ୍ବାରା ଏବେ ସେମାନଙ୍କ ହାତକୁ ପଇସା ଆସିପାରିଛି ବୋଲି କହନ୍ତି ଆଉ ଜଣେ ମହିଳା ଚାଷୀ ରାଜକୁମାରୀ କହଁର। ଏକ ସଙ୍ଗରେ ବିନ୍ସ, ଶାଗ ଏବଂ ଗାଜର ଚାଷ କରାଯାଇଥିଲା। ମାସେ ମଧ୍ୟରେ ଶାଗ ଅମଳ ହୋଇଯିବା ପରେ ଏବେ ବିଲରେ ଗାଜର ଏବଂ ବିନ୍ସ ମହଜୁଦ ଅଛି। ଅନ୍ୟପକ୍ଷରେ ବ୍ରୋକଲି, ବନ୍ଧାକୋବି ଏବଂ ଫୁଲକୋବି ଚଳିତବର୍ଷ ରେକର୍ଡ ପରିମାଣରେ ଅମଳ ହୋଇପାରିଛି ବୋଲି କହନ୍ତି ଆଉ ଜଣେ ଆଦିବାସୀ ମହିଳା ଚାଷୀ ବିନତି ମଲିକ। ଏହିସବୁ ଗାଁର ମହିଳା ଚାଷୀଙ୍କ ସଫଳତା ଦେଖି ଜିଲ୍ଲା ପ୍ରଶାସନ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ଆଜି ନିଜେ ଜିଲ୍ଲାପାଳ ଶେଷାକେରା ଏବଂ ବୁଢ଼ାଦାନି ଗ୍ରାମ ପରିଦର୍ଶନ କରି ସେମାନଙ୍କୁ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଯୋଗାଇ ଦେଇଛନ୍ତି। ଆଜି ଜିଲ୍ଲାପାଳ ଡ. ବୃନ୍ଦା ଡି. ଏହିସବୁ ଆଦିବାସୀ ମହିଳା ଚାଷୀଙ୍କୁ ଶକ୍ତିଚାଳିତ ଘାସବଛା ଯନ୍ତ୍ର, ପରିବା ଅମଳ ଟ୍ରେ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ ସହ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ରୁଦ୍ରପ୍ରସାଦ ମିଶ୍ର, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଆଦିବାସୀ ମହିଳା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ସଂଖ୍ୟା ୫୦୦କୁ ବୃଦ୍ଧି କରିବାକୁ ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ ବୃନ୍ଦା ଡି. କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/istockphoto-1132622584-612x612-1.jpg)