ଧାନ ବିକ୍ରି ନହେବାରୁ ଲ୍ୟାମ୍ପସରେ ତାଲା ଠୁଙ୍କିଲେ ମହିଳା

ହରିଚନ୍ଦନପୁର: ଧାନ ବିକ୍ରି ନ ହେବାରୁ ଆଜି ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ଗ୍ରାମର ଉତ୍ତ୍ୟକ୍ତ ମହିଳାମାନେ ହରିଚନ୍ଦନପୁର ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଅଢ଼େଇ ଘଣ୍ଟା ଧରି ଲ୍ୟାମ୍ପସ କର୍ମଚାରୀମାନେ କାର୍ଯ୍ୟାଳୟ ଭିତରେ ରହିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ସେମାନେ ଟୋକନ ପାଇଥିଲେ ମଧ୍ୟ ଲ୍ୟାମ୍ପସ ଧାନ କିଣିଲା ନାହିଁ। ବର୍ତ୍ତମାନ ଟୋକନ ଗୁଡ଼ିକର ଅବଧି ଶେଷ ହୋଇଯାଇଛି। ଧାନ କିଣା ନହେବା ପର୍ଯ୍ୟନ୍ତ ସେମାନେ ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇ ବସି ରହିବେ ବୋଲି ଜିଦ୍‌ ଧରିଥି‌ଲେ।

ହରିଚନ୍ଦନପୁର ଥାନା ଏସ୍‌ଆଇ ଅଯୋଧ୍ୟା ମାଟିଆ, ଏଏସ୍ଆ‌ଇ ରମେଶ ଚନ୍ଦ୍ର ଜେନା ପହଞ୍ଚି ମହିଳା ଓ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତଙ୍କ ସହ ଆଲୋଚନା କରିଥିଲେ। ଯେଉଁ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଛି ସେମାନଙ୍କୁ ପୁଣି ଟୋକନ ପ୍ରଦାନପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ଟୋକନ ଆସିଲେ ଆସନ୍ତା ୨୬ ତାରିଖରେ ବଡ଼ପଳାଶପାଳ ମଣ୍ଡିରେ ଧାନ କିଣାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ। ୨୬ ତାରିଖରେ ଧାନ କିଣା ନହେଲେ ପୁଣି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ବନିତା ପାଇକରାୟ, ବାସନ୍ତି ପାଇକରାୟ, ସତ୍ୟଭାମା ସାହୁ, ସଞ୍ଜ ବେହେରା, ବାସନ୍ତୀ ସାହୁ, କଳାବତୀ ପାଇକରାୟ, ହେମାଙ୍ଗିନୀ ପାଇକରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର