କୁତ୍ରା: ପ୍ରଶାସନ ନିକଟରେ ଗାଁଲୋକେ ରାସ୍ତାଟି ମରାମତି ପାଇଁ ବାରମ୍ବାର ଦାବିକଲେ। ମାତ୍ର ୫୦ ମିଟର ରାସ୍ତା ପାଇଁ ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ବରତଲପଡ଼ାବାସୀ ହନ୍ତସନ୍ତ ହେବା ପରେ ଅଣ୍ଟାଭିଡ଼ିଲେ ଗାଁର ପ୍ରଗତି ମହିଳା ଉତ୍ପାଦକ ସଂଘ। ନିଜହାତରୁ ଖର୍ଚ୍ଚକରି ରାସ୍ତା ମରାମତି କଲେ। ଗାଁର ଅରବିନ୍ଦ ସ୍କୁଲଠାରୁ ଛବିଳ ସାହୁ ଘର ପର୍ଯ୍ୟନ୍ତ ପାଖାପାଖି ୫୦ ମିଟର ରାସ୍ତା। ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଲୋକ ଡାକ୍ତରଖାନା, ପଞ୍ଚାୟତ ଅଫିସ, ବ୍ଲକ୍ କାର୍ଯ୍ୟାଳୟ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବାଆସିବା କରିଥାନ୍ତି।। ତେବେ ଦୀପତଳ ଅନ୍ଧାର ଭଳି ଏଠାର ରାସ୍ତା ଏ ଯାବତ କଂକ୍ରିଟ୍ ହୋଇପାରିନି। ରାସ୍ତାର ଦୁରବସ୍ଥା ପାଇଁ ଅନେକ ସମୟରେ ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧା ଦୁର୍ଘଟଣାର ଶିକାର ହେଉଛନ୍ତି।
ବର୍ତ୍ତମାନ ବର୍ଷାଦିନ ଥିବାରୁ ରାସ୍ତାରେ ମାଟି ଧୋଇ ପଥର ବାହାରିବା ସହ ଖାଲଖମା ହୋଇ ଯାତାୟାତ ଅନୁପୋଯୋଗୀ ହୋଇଯାଇଛି। ଏହା ଦେଖି ଗ୍ରାମର ପ୍ରଗତି ଉତ୍ପାଦକ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ନିଜଖର୍ଚ୍ଚରେ ଏହି ରାସ୍ତା ନିର୍ମାଣ କରିଛନ୍ତି। ବ୍ଲକ୍ ପ୍ରଶାସନ ଉପାନ୍ତ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଥିବାବେଳେ ବ୍ଲକ୍ ମୁଖ୍ୟାଳୟ ଅନତିଦୂରରେ ଥିବା ରାସ୍ତା ଉପରେ ପ୍ରଶାସନର ନଜର ନ ପଡ଼ିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିରାଶ କରିଛି।
ସୂଚନାଯୋଗ୍ୟ ଯେ, ଗାଁର ଶହେରୁ ୨ ଶହ ମିଟର ଦୂରତା ଭିତରେ ରହିଛି ପଞ୍ଚାୟତ ଅଫିସ, ଡାକ୍ତରଖାନା, ସ୍କୁଲ ଆଦି ଅନୁଷ୍ଠାନ। କିନ୍ତୁ ମାତ୍ର ୫୦ ମିଟର ରାସ୍ତା ପାଇଁ ବରତଲପଡ଼ା ଗାଁଲୋକେ ଦୁଃଖ କହିଲେ ନ ସରେ। ଏଣେ ଜିଲ୍ଲାରେ ଖର୍ଚ୍ଚ ହୋଇ ନ ପାରି ଡିଏମ୍ଏଫ୍ ପାଣ୍ଠିରେ ଶହଶହ କୋଟି ଟଙ୍କା ପଡ଼ିରହିଛି। ଅନ୍ୟାନ୍ୟ ସରକାରୀ ଯୋଜନାରେ ଉଭୟ ପଞ୍ଚାୟତ ଓ ବ୍ଲକ୍କୁ ଆହୁରି କୋଟିକୋଟି ଟଙ୍କା ଅନୁଦାନ ଆସୁଛି। କିନ୍ତୁ ଉପଯୁକ୍ତ ଯୋଜନା ଅଭାବରୁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ବରତଲପଡ଼ା।