ଘରେ ଘରେ ତିଆରି ହେଉଛି ମାସ୍କ, ଲକ୍‌ଡାଉନ୍‌ରେ ମହିଳାଙ୍କୁ ଦେଇଛି ରୋଜଗାରପନ୍ଥା

ତିଆରି କରି ଗରିବଙ୍କୁ ବାଣ୍ଟୁଛନ୍ତି ସାମାଜିକ କର୍ମୀ

ରାଉରକେଲା: ମହାମାରୀ କରୋନାରୁ ମୁକୁଳିବା ପାଇଁ ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର କହିଛନ୍ତି। ଏଥିପାଇଁ ସ୍ମାର୍ଟସିଟିରେ ବଢ଼ି ଯାଇଛି ମାସ୍କର ଚାହିଦା। ଘରେ ଘରେ ତିଆରି ହେଉଛି ମାସ୍କ। ବସ୍ତିରୁ ନେଇ କଲୋନି ସବୁଠୁ ଚାଲିଛି ଜୋର୍‌ଦାର କାମ୍। ଏଭଳି କାମ କରୁଛନ୍ତି କିଛି ଏସ୍‌ଏସ୍‌ଜି ମହିଳା ଓ ଅନ୍ୟ ବହୁ ବ୍ୟକ୍ତି। ଲକ୍‌ଡାଉନ୍‌ରେ ଘରେ ବସି ଅର୍ଡର ମୁତାବକ ମାସ୍କ ତିଆରି କରି ସେମାନେ ବେଶ୍‌ ଦି ପଇସା ରୋଜଗାର ବି କରୁଛନ୍ତି। ଆଉ କିଛି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ କିଛି ଯୁବକ ନିଜେ ମାସ୍କ ତିଆରି ବସ୍ତିରେ ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି।

ଗତ ମାର୍ଚ୍ଚ ୨୨ ଲକ୍‌ଡାଉନ୍‌ରୁ ସମୟରୁ ଏହି କାମ ଆରମ୍ଭ ହୋଇଛି। ଜଣେ ଜଣେ ମହିଳାଙ୍କୁ ସହରର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ, ସାମାଜିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏକାଧିକ ଅର୍ଡର ମଧ୍ୟ ମିଳିଛି। ଅର୍ଡର ମୁତାବକ ନିର୍ଦ୍ଧାରିତ ସମୟରେ ମାସ୍କ ତିଆରି ଦେବାକୁ ପରିବାର ପିଲାଛୁଆଙ୍କ ସହ କାମରେ ଲାଗି ପଡିଛନ୍ତି। ସହରର ଛେଣ୍ଡ କଲୋନି, ସେକ୍ଟର-୧୬, ସେକ୍ଟର-୧୫, ଉଦିତନଗର, ସେକ୍ଟର-୮, ଟିମ୍ବର କଲୋନି, ଫର୍ଟିଲାଇଜର, ବେଦବ୍ୟାସ, ବନ୍ଧମୁଣ୍ଡା, ସେକ୍ଟର-୨୧ ନୟାବଜାର ସମେତ ଅନେକ ବସ୍ତିରେ ଦିନ ରାତିରେ ମାସ୍କ ତିଆରି ହେଉଛି।

ସେକ୍ଟର-୮ର ନବଜାଗୃତି ସ୍ବୟଂ ସହାୟକ ଗୋଷ୍ଠୀର ମଞ୍ଜୁଲତା ଜେନା କହନ୍ତି, ଲକ୍‌ଡାଉନ୍‌ ଠାରୁ ସେମାନେ ମାସ୍କ ତିଆରି କାମ କରୁଛନ୍ତି। ଦିନକୁ ପ୍ରାୟ ୩୦୦ରୁ ୪୦୦ ମାସ୍କ ହେଉଛି। ଅର୍ଡର ମୁତାବକ ମାସ୍କ ତିଆରି ମେଟେରିଆଲ ମିଳୁ ନଥିବାରୁ ବେଶି ଅର୍ଡର ରଖୁ ନାହୁଁ। ଦୋକାନ ଖୋଲାଥିବାବେଳେ ଯେତିକି କପଡା କିଣିଥିଲୁ ସେଥିରେ ମାସ୍କ ତିଆରି କାମ ଚାଲିଛି। ଗୋପବନ୍ଧୁପାଲୀ ଟିମ୍ବର କଲୋନିର ଅନ୍ୟ ଜଣେ ମହିଳା ହେଲେ ପ୍ରମିଳା ଦାସ। ସେ ଦୈନିକ ୫୦ରୁ ୧୦୦ ପର୍ଯ୍ୟନ୍ତ ମାସ୍କ ତିଆରି କରୁଛନ୍ତି। ସେଗୁଡ଼ିକୁ ବସ୍ତିର ଗରିବ ଲୋକ, କଣ୍ଟ୍ରୋଲ ଦୋକାନକୁ ଆସୁଥିବା ହିତାଧିକାରୀଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ଗତ ପ୍ରାୟ ସପ୍ତାହ ଧରି ନିଜ ଖର୍ଚ୍ଚରେ ଏଭଳି କରୁଛନ୍ତି। ଦୁର୍ଦ୍ଦିନ ସମୟରେ ପେଟକୁ ଦାନା ମୁଠାଏ ଯୋଗାଡ କରି ପାରୁ ନଥିବା ଗରିବ ଲୋକଙ୍କୁ ମାସ୍କ ବାଣ୍ଟି ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି ସେ କହିଛନ୍ତି।

ଛେଣ୍ଡ ଧାମରା ବସ୍ତିର ଜ୍ୟୋତ୍ସ୍ନାରାଣୀ ସାମଲ। ସେ ତାଙ୍କର ଜଣେ ସହଯୋଗୀ ଯୁବତୀଙ୍କୁ ମାସ୍କ ତିଆରି କରୁଛନ୍ତି। ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଆବଶ୍ୟକୀୟ ‌ମେଟେରିଆଲ ଯୋଗାଇ ଦିଆଯାଇଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦୁହେଁ ପରିଶ୍ରମ କରି ଦୈନିକ ପ୍ରାୟ ୨୦୦ରୁ ୩୦୦ ମାକ୍ସ ତିଆରି କରୁଛନ୍ତି। ଆଜି ତାଙ୍କ ହାତ ତିଆରି ପ୍ରାୟ ୪୦୦ରୁ ଅଧିକ ମାସ୍କ ବିଜେପି ପକ୍ଷରୁ ବରିଷ୍ଠ ନେତା ଧୀରେନ ସେନାପତି ଓ ତାଙ୍କର ସହଯୋଗୀ ଛେଣ୍ଡ ପରିବା ହାଟରେ ଲୋକଙ୍କୁ ମାଗଣାରେ ବାଣ୍ଟିଛନ୍ତି। ଅର୍ଡର ମିଳୁଥିବା ପର୍ଯ୍ୟନ୍ତ ମାସ୍କ ତିଆରି କରୁଥିବୁ ବୋଲି ସେ କହିଛନ୍ତି। ସେକ୍ଟର-୧୫ ଇ ବ୍ଲକ ସାଇ ବସ୍ତିର ପ୍ରତିଭା ପ୍ରଧାନ। ସ୍ବେଚ୍ଛା‌ସେବୀ ଅନୁଷ୍ଠାନରେ କାମ କରି ପରିବାର ପ୍ରତିପୋ‌ଷଣ କରୁଥିଲେ। ଲକ୍‌ଡାଉନ୍‌ ପରେ ତାଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା। ପରିବାର ପ୍ରତିପୋଷଣ ପାଇଁ ସାଇତି ରଖିଥିବା କିଛି ଟଙ୍କାରେ କପଡା କିଣି ମାସ୍କ ତିଆରି କରିଥିଲେ। ସେଗୁଡିକୁ ବିକି ଦି’ ପଇସା ରୋଜଗାର କରିଥିଲେ।

ପରବର୍ତ୍ତୀ ସମୟରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ତାଙ୍କୁ ମାସ୍କ ତିଆରି କରିବାକୁ ଅର୍ଡର ମିଳିଥିଲା। ଏବେ ସେ ବସ୍ତିର ପୂଜା ସାହୁ ଓ ଅନ୍ୟ କିଛି ମହିଳାଙ୍କୁ ନେଇ ମାସ୍କ ତିଆରି କରୁଛନ୍ତି। ତିଆରି କରିଥିବା ମାକ୍ସରୁ କିଛି ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ବାଣ୍ଟିଥିବା କହିଛନ୍ତି। ସେମିତି ଆଉ ଜଣେ ସାମଜିକକର୍ମୀ ହେଲେ ଉଦିତନଗର ଜିତେନ୍ଦ୍ର ଅଗ୍ରୱାଲ। ସେ ଦୈନନ୍ଦିନ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି। ଛେଣ୍ଡ କଲୋନିର ଅଞ୍ଚଳି ମହାରଣା ଲକ୍‌ଡାଉନ୍‌ରେ ପରିବାର ପ୍ରତିପୋଷଣ ପାଇଁ ମାସ୍କ ତିଆରି କରୁଛନ୍ତି। ସେ ଏକା ତିଆରି କରୁ ନାହାନ୍ତି ବରଂ ଏହି କାମରେ ତାଙ୍କୁ ତାଙ୍କ ପରିବାର ସମସ୍ତ ସଦସ୍ୟ ସହାୟତା କରୁଛନ୍ତି। ଗତ କିଛି ତଳେ ତାଙ୍କୁ ୨/୩ଟି ସଂସ୍ଥାରୁ ମାସ୍କ ତିଆରି କରିବାକୁ ଅର୍ଡର ମିଳିଛି। ଏଥିପାଇଁ ପରିବାରର ପିଲାଙ୍କୁ ମଧ୍ୟରେ କାମ ଲଗାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଆଉ ଜଣେ ମହିଳା ହେଲେ ସେକ୍ଟର-୧୬ର ସୁଜାତା ରାଉତ। ତାଙ୍କୁ ମଧ୍ୟ ୪/୫ଟି ସଙ୍ଗଠନ ପକ୍ଷରୁ ଅର୍ଡର ମିଳିଛି। କିଛି ସଙ୍ଗଠନ ଆବଶ୍ୟକ ମେଟେରିଆଲ ଯୋଗାଇ ଦେଇଛନ୍ତି। କେବଳ ଏସ୍‌ଏସ୍‌ଜି ମହିଳା ନୁହେଁ ଦର୍ଜିମାନେ ମଧ୍ୟ ଲକ୍‌ଡାଉନ୍‌ରେ ମାସ୍କ ତିଆରି ବିକୁଛନ୍ତି।

ସମ୍ବନ୍ଧିତ ଖବର