ସୁନ୍ଦରଗଡ଼: ହାତରେ ଦଉଡ଼ିର ହାତକଡ଼ି ପକାଇ ସୁନ୍ଦରଗଡ଼ ଜିଲ୍ଲାପାଳ ଡ.ପରାଗ ହର୍ଷଦ ଗାଭାଲିଙ୍କ ପଥ ଓଗାଳି ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ବିବାହିତ ଝିଅମାନେ ନ୍ୟାୟ ମାଗିଥିଲେ। ବିସ୍ଥାପନ ନୀତି ଅନୁଯାୟୀ ଥଇଥାନ ଓ ପୁନର୍ବାସ ସୁବିଧା ଯଦି ଦେଇ ନପାରୁଛ, ତେବେ ଆମକୁ ଗିରଫ କରିନିଅ ବୋଲି ଦାବି କରିଥି‌ଲେ। ସୋମବାର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ଗୃହ ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ରୋଚକ ଦୃଶ୍ୟ। ବିସ୍ଥାପିତ ମହିଳାମାନଙ୍କ ଏ ଅତର୍କିତ ଅଭିନବ ପ୍ରତିବାଦରେ ଜିଲ୍ଲାପାଳ କିଛି ସମୟ ପାଇଁ ହଡ଼ବଡ଼େଇ ଯାଇଥିଲେ। ପରେ ଆଲୋଚନା କରାଯିବ ବୋଲି କହିବା ପରେ ମହିଳାମାନେ ଜିଲ୍ଲାପାଳଙ୍କୁ ବାଟ ଛାଡ଼ିଥିଲେ। ଥଇଥାନ ଓ ପୁନର୍ବାସ ସୁବିଧା ଦାବିରେ ମହିଳାମାନେ ଏକ ବର୍ଷ ହେଲା ବିଭିନ୍ନ ସମୟରେ ଧାରଣା, ବିକ୍ଷୋଭ କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ନ୍ୟାୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି। କେବେ ପୁଲିସ ଲଗାଇ ଆନ୍ଦୋଳନକୁ ଦମନ କରିଛି ତ କେବେ ଆଲୋଚନା କରି ଦିନ ଗଡ଼ାଇ ନେଉଛି। ଉଲ୍ଲେଖଯୋଗ୍ୟ, ଥଇଥାନ ଓ ପୁନର୍ବାସ ଦାବିରେ ଦୀର୍ଘ ୮ ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ବିସ୍ଥାପିତ ପରିବାରର ବିବାହିତ ମହିଳାମାନେ ଧାରଣା ଦେଇଥିଲେ। ପ୍ରଶାସନ ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ୨୦୨୨ ଜୁଲାଇ ୪ ତାରିଖରେ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରି ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ୭୦ରୁ ଅଧିକ ମହିଳାଙ୍କୁ ଗିରଫ କରିଥିଲା।

Advertisment

publive-image

ପ୍ରଶାସନର ଏ ପ୍ରକାର ଦମନଲୀଳାକୁ ନେଇ ଖଣି ପ୍ରଭାବିତ ଗାଁରେ ଅସନ୍ତୋଷ ଲାଗି ରହିଥିବାବେଳେ ଗତ ୨୦୨୨ ଅକ୍ଟୋବର ୧୮ ତାରିଖରେ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ଓ ଏନଟିପିସି କୋଇଲା ଖଣି ପ୍ରକଳ୍ପ ଅଧିକାରୀମାନେ ପ୍ରଭାବିତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ଦାବି ବିଚାରଯୋଗ୍ୟ ଥିବା ହୃଦବୋଧ କରି ଉପଜିଲ୍ଲାପାଳ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟ ଠାରୁ ବିସ୍ଥାପିତ ମହିଳାମାନଙ୍କ ଦାବି ଉପରେ ପ୍ରଶାସନ ନିରବ ରହି ଆସୁଛି। ପ୍ରଶ୍ନ ଉଠିଛି, ଯଦି ଏହି ବିବାହିତା ମହିଳାମାନେ ଅଯୋଗ୍ୟ, ତେବେ ପୂର୍ବରୁ ଏସବୁ ଗାଁର ଅନ୍ୟ ୩୦ ବିବାହିତା ମହିଳାମାନଙ୍କୁ କେଉଁ ଆଧାରରେ ସହାୟତା ଦିଆଗଲା। ପ୍ରଶାସନ କେବଳ ଖପରିକଛାର ଗାଁ ୨୦୧୩ ବିସ୍ଥାପନ ନୀତିରେ ଆସିବେ ବୋଲି କହିଥିଲା। କିନ୍ତୁ ଖପରିକଛାରକୁ ମଧ୍ୟ ୨୦୧୩ ନୀତି ଅନୁଯାୟୀ ଏକର ପ୍ରତି ୪୦ ଲକ୍ଷ ଟଙ୍କା ନଦେଇ ଡୁଲିଙ୍ଗା, ମଝାପଡ଼ା ଓ ବେଲଡିହି ସହ ଭୂମି ଅଧିଗ୍ରହଣ ଆଇନ ୧୮୯୪ ଅନୁଯାୟୀ ୧୫ରୁ ୧୬ ଲକ୍ଷ ଟଙ୍କା ଦିଆଯାଇଛି। ଏନଟିପିସି ୨୦୧୩ ନୂଆ ନୀତି ଲାଗୁ ହେବାର ମାତ୍ର ୫ ଦିନ ଆଗରୁ ୨୭/୧୨/୨୦୧୩ରେ ତରବରରେ ଆୱାର୍ଡ ଘୋଷଣା କରିଥିଲା। କିନ୍ତୁ ଲୋକଙ୍କ ଆକାଉଣ୍ଟକୁ ୨୦୧୪/୧୫ରେ ଜମିର କ୍ଷତିପୂରଣ ଆସିଲା ଓ ଘର, ଗଛ ସହ ଅନ୍ୟ ଆୱାର୍ଡ ୨୦୧୯ରେ ମିଳିଲା। ସେମାନଙ୍କୁ ୨୦୨୦/୨୧ରେ ବିସ୍ଥାପିତ କରାଗଲା। ପୁନର୍ବାସ ଓ ଥଇଥାନ ନୀତିର ଧାରା ୨୪ ଅନୁଯାୟୀ ଜମି ଆୱାର୍ଡ ହୋଇ ଯଦି ‌ଲୋକଙ୍କ ଆକାଉଣ୍ଟରେ ଜମିର କ୍ଷତିପୂରଣ ଟଙ୍କା ଜମା ହୋଇ ନଥାଏ, ଗଛ, ଘରର କ୍ଷତିପୂରଣ ମିଳି ନଥାଏ ଏବଂ କମ୍ପାନି ଗାଁକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇପାରି ନଥାଏ, ତେବେ ଏହି ସମସ୍ତ ବିସ୍ଥାପିତ ୨୦୧୩ ନୀତିରେ ସାମିଲ ହେବେ ବା ଖଣି ଅଧିଗ୍ରହଣ ବସ୍ତି ଭାବେ ଘୋଷିତ ହେବ। ଏହି ପରିପ୍ରେକ୍ଷିରେ ରାଜସ୍ବ ସଚିବଙ୍କ ପତ୍ରରେ ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ଉଲ୍ଲେଖ ରହିଛି।

ସେହିପରି ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ବିବାହିତା ଝିଅମାନଙ୍କ ସପକ୍ଷରେ ଏକ ସାର୍ବଜନୀନ ରାୟ ଦେଇ ପୁଅ ଭଳି ଝିଅ ମଧ୍ୟ ସମାନ ସୁବିଧା, ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିବାରୁ ସେମାନେ ବିସ୍ଥାପିତ ପରିବାରର ଝିଅ ଭାବେ ଥଇଥାନ ସୁବିଧା, ସହାୟତା ପାଇବାକୁ ଯୋଗ୍ୟ ବୋଲି ଯୁକ୍ତି କରିଆସୁଛନ୍ତି। ଏ ନେଇ ମହିଳାମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ପ୍ରଶାସନ ଏଯାଏଁ ନ୍ୟାୟୋଚିତ ପଦକ୍ଷେପ ନେଇ ନଥିବାରୁ ମହିଳାମା‌ନେ ପ୍ରତିବାଦ କରି ଆସୁଛନ୍ତି। ଶେଷ ଖବର ଅନୁସାରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦାଶରଥି ସରାବୁ ଧାରଣାରତ ମହିଳାମାନଙ୍କୁ ଭେଟି ଆସନ୍ତା ଏପ୍ରିଲ ୧୮ରେ ତ୍ରିପାକ୍ଷିକ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |