ସୁନ୍ଦରଗଡ଼: ସହରରେ ପାନୀୟ ଜଳ ଯୋଗାଣ ନାଁରେ ମିଳୁଛି ଦୂଷିତ ନାଳ ପାଣି । ବାରମ୍ଵାର କହିବା ପରେ ମଧ୍ୟ ଫଳ ଶୂନ । ଏହି ଅଭିଯୋଗ ନେଇ ଆଜି ସ୍ଥାନୀୟ ମହାଦେବପଡ଼ା ଶିବ ମନ୍ଦିରକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ(ଜଳଶକ୍ତି ଓ ଅ।ଦିବାସୀ କଲ୍ୟାଣ) ଆସିଥିବାବେଳେ ମହିଳାମାନେ ଘେରିଯାଇଥିଲେ ଓ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମହିଳାମାନଙ୍କଠାରୁ ଅଭିଯୋଗ ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିବା ସହ ୨୩ ବର୍ଷର ସରକାର କରୁଥିଲେ କଣ ବୋଲି କଟାକ୍ଷ କରିଥିଲେ । ସେ କହିଥିଲେ ଯେ ଯେଉଁ କାମ କରିବା କଥା ସେ କାମ ନକରି ଯେଉଁ କାମ ନକରିବା କଥା ସେ କାମ ରାଜ୍ୟ ସରକାର କରୁଛନ୍ତି | ଉଲ୍ଲେଖ ଥାଉ କି ଦୀର୍ଘ ଦିନ ହେବ ସୁନ୍ଦରଗଡ଼ରେ ପାଣି ସମସ୍ୟା ଲାଗି ରହିଛି । ଇବନଦୀ ସତନାଦରହଠାରୁ ପାଣି ଉଠାଯାଇ ସହରର ସମସ୍ତ ଜନସାଧାରଣଙ୍କୁ ସେହି ପାଣି ଯୋଗାଇ ଦିଆଯାଇଥାଏ ।
ଇବ ନଦୀର ଯେଉଁ ସ୍ଥାନରୁ ପାଣି ଉଠାଯାଉଛି ସେହି ସ୍ଥାନକୁ ନିଜେ ଅ।ଖିରେ ନଦେଖିଲେ କେହି ବିଶ୍ଵାସ କରିପାରିବେ ନାହିଁ। ଏହାଛଡା ବିଭାଗ ପକ୍ଷରୁ ଲାଗିଥିବା ପାଇପ ଫାଟି ପାଣି ବାହାରୁଥିବା ବେଳେ ଅନେକ ସ୍ଥାନରେ ନାଳ ମଧ୍ୟରେ ଏହି ଫଟା ପାଇପ ରହିଛି। ଯେଉଁଠି କୁଢ କୁଢ ଆବର୍ଜନା ସାଙ୍ଗକୁ ଗାଈ କୁକୁର ଏକାଠି ସେହି ନାଳ ପାଖରେ ଥିବା ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳଯୋଗାଣ ନାଁରେ ଜନସ୍ଵାସ୍ଥ୍ୟ ବିଭାଗ ଯେଉଁ ପାଣି ଯୋଗାଇଦେଉଛି ତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇ ଆସୁଛନ୍ତି। ଶୀତ ବେଳକୁ ନଦୀରେ ପାଣି ନଥିବା ବେଳେ ଗାଡ଼ିଆ କରି ଯେଉଁଠାରୁ ପାଣି ଉଠାଯାଉଛି ସେଠାରେ ଗନ୍ଧ ହେବା ସହ ନାଳ ନର୍ଦ୍ଦମାର ପାଣି ଲୋକଙ୍କ ଘରକୁ ଯାଉଛି। ଏ ବାବଦରେ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା କହିଛନ୍ତି ସହରବାସୀ।