ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା, ଜେଲଗଲା ସ୍ବାମୀ

ବାଲିଅନ୍ତା: ପାହାଳ ଫାଣ୍ଡି ଅଞ୍ଚଳରେ ରହୁଥିବା ସୁଚିତ୍ମିତା ସାହୁ (୨୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ପୁଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ଯାଜପୁର ରୋଡ଼ ଅଞ୍ଚଳର ସୁବୀର କୁମାର ମୁଦୁଲି (୩୨) । କୋର୍ଟରେ ସୁବୀରଙ୍କ ଜାମିନ ଆବେଦନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁଚିସ୍ମିତାଙ୍କୁ ବିଷ ଖୁଆଇ ହତ୍ୟା କରାଯାଇଥିବା ତାଙ୍କ ବାପା ପ୍ରଭାତ କୁମାର ସାହୁ ଆଜି ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ପ୍ରଭାତଙ୍କ ଅଭିଯୋଗ ଆଧାରରେ ନଂ ୭୪/୨୧ରେ ଏସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଯାଜପୁର ଅଞ୍ଚଳର ସୁବୀର ୨୦୧୯ ମସିହା ଡିସେମ୍ବର ମାସରେ ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ସୁଚିସ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ। ପତି–ପତ୍ନୀ ଦୁହେଁ ଏଠାରେ ଥିବା ଏକ ସଂସ୍ଥାରେ ଚାକିରି କରିଥିଲେ । ବର୍ଷେ ହେଲା ପାହାଳ ୨୨ ତାଲା ନିକଟରେ ଘରଭଡ଼ା ନେଇ ରହୁଥିଲେ। ହେଲେ ବିବାହର ଅଳ୍ପ କିଛି ଦିନ ପରେ ସେମାନଙ୍କ ଦାମ୍ପତ୍ତ୍ୟ ଜୀବନରେ ଝଡ଼ ଉଠିଥିଲା।

ସୁବୀର କଟକରେ ଏକ ପ୍ଲଟ କିଣିବା ପାଇଁ ୧୦ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ସୁଚିସ୍ମିତାଙ୍କ ଉପରେ ଚାପ ପକାଇଥିଲେ। ଏତେ ଟଙ୍କା କେଉଁଠୁ ଆଣିବେ କହି ସୁଚିସ୍ମିତା ବାପ ଘରର ଅସହାୟତା ପ୍ରକାଶ କରିଥିଲେ ମଧ୍ୟ ସୁବୀର କିଛି ଶୁଣିନଥିଲେ। ଟଙ୍କା ନଅଣିବା କାରଣକୁ ନେଇ ସେ ସୁଚିସ୍ମିତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।

ଝିଅ ଠାରୁ ନିର୍ଯ୍ୟାତନା କଥା ଶୁଣି ଗଲା ୫ ଦିନ ତଳେ ତାଙ୍କ ବାପା ପ୍ରଭାତ ଏଠାରେ ପହଞ୍ଚି ସୁବୀରଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ସେତିକି ଟଙ୍କାରେ ସୁବୀର ସନ୍ତୁଷ୍ଟ ହୋଇନଥିଲେ। ଏନେଇ ଉଭୟ ପତି – ପତ୍ନୀଙ୍କ ମଧ୍ୟରେ ପୁଣି କଳହ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁବୀର ଝିଅକୁ ବିଷ ଦେଇ ହତ୍ୟା କରିଥିବା ପ୍ରଭାତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ପାରିବାରିକ କଳହରେ ଅତିଷ୍ଠ ହୋଇ ସୁଚିସ୍ମିତା ବିଷ ଖାଇ ଦେଇଥିବା ପୁଲିସକୁ କହିଛନ୍ତି । ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର