ମହିଳା ଦିବସ: ରଶ୍ମିତାଙ୍କୁ ବରା ଦୋକାନ ଦେଇଛି ପରିଚୟ

ନାଲକୋ ନଗର(ସୁଜିତ କୁମାର ବେହେରା): ରୋଷେଇ ଠାରୁ ବହୁ ଦୁରରେ ରଶ୍ମିତା। ପିଲାଟି ଦନରୁ ତାଙ୍କ ବାପାଙ୍କ ବରା ଦୋକାନ ଦେଖିଆସିଥିଲେ। ହେଲେ ସେ ବରା ଦୋକାନକୁ ଦିନେ ନିଜେ ଚଳାଇବେ କେବେ ଚିନ୍ତା କରିନଥିଲେ। ଅନଗୁଳ ଦୈନିକ ପରିବା ହାଟ ସମୁଖରେ ଥିବା ଝୁପୁଡ଼ି ଜଳଖିଆ ଦୋକାନ। ପରିବାର ଗଢ଼ିବାର ସ୍ୱପ୍ନ ଛାଡ଼ି ଅବିବାହିତ ରହି ସେ ନିଜକୁ ସମର୍ପି ଦେଇଛନ୍ତି ବ୍ୟବସାୟରେ, ଯାହାକି ତାଙ୍କ ପରିଚୟକୁ ଆହୁରି ଉଚ୍ଚା କରି ଦେଇଛି। ଦିନରେ ଗୋଟିଏ ଓଳି ଦୋକାନରେ ରହି ଲୋକଙ୍କୁ ଜଳଖିଆ ପରସି ଦେଇ ନିଜକୁ ବ୍ରତୀ କରିଛନ୍ତି।

ଏପରି ଏକ ନିଆରା ବ୍ୟକ୍ତିତ୍ୱର ଅଧିକାରିଣୀ ହୋଇଛନ୍ତି ରଶ୍ମିତା। ସେ ସମୟ, ପରସ୍ଥିତି ଓ ଜୀବନ ସଙ୍ଘର୍ଷ ଆଗରେ ହାର ମାନି ନାହାନ୍ତି। ଗରିବ ହୋଇଥିଲେବି ଉଚ୍ଚ ଚିନ୍ତା ଓ ଆତ୍ମର୍ନିଭରଶୀଳ ମନୋବୃତି ନେଇ ସେ ଜଳଖିଆ ଦୋକାନ ସମ୍ଭାଳନ୍ତି। ଜଳଖିଆ ଦୋକାନରୁ ଦୈନିକ ଯାହା ରୋଜଗାର ହୁଏ, ସେଥିରେ ରଶ୍ମିତାଙ୍କ ପରିବାର ଚଳିଯାଏ। ବୟସ ବି ସେତେ ଅଧିକ ନୁହେଁ। ପିଲାଟି ବେଳୁ ନିଜକୁ ଜଳଖିଆ ଦୋକାନରେ ନିମଗ୍ନ କରିଥିବା ରଶ୍ମିତା ଆଜି ଆନ୍ତର୍ଜାତିକ ମହିଳା ଦିବସରେ କେବଳ ମହିଳା ନୁହେଁ, ପୁରୁଷ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ଅନଗୁଳ ଜିଲ୍ଲା ରାଜକିଶୋର ପଡାରେ ରୁହନ୍ତି। ପରିବାର କହିଲେ ବାପା, ମା’ ଓ ତିନି ଭଉଣୀଙ୍କୁ ନେଇ ସଂସାର। ଆଜକୁ ପ୍ରାୟ ୩ ବର୍ଷ ତଳେ ପିତାଙ୍କୁ ହରାଇ ଦେଇଥିଲେ। ତା ପରଠାରୁ ନିଜକୁ ସେ ଏପରି ନିୟୋଜିତ କରି ଦେଇଥିଲେ ଯେ ଯାହା ନଦେଖିଲେ ବିଶ୍ୱାସ କରି ହେବ ନାହିଁ। ସକାଳ ହେବା ପୂର୍ବରୁ ନିଜ କର୍ମ କ୍ଷେତ୍ର ଜଳଖିଆ ଦୋକାନକୁ ବାହାରି ପଡନ୍ତି। ପାଣି ଆଣିବା ଠାରୁ ଆରମ୍ଭ କରି ବିରି ବାଟିବା, ଆଳୁ ମଟର ସିଝାଇ ଆଳୁ ଝୋଳ ତିଆରିକରି ସକାଳ ୬ଘଟିକା ବେଳକୁ ଜଳଖିଆ ପ୍ରସ୍ତୁତ କରିଥାନ୍ତି।

ରଶ୍ମିତାଙ୍କ ଜଳଖିଆ ଦୋକାନରୁ ଯିଏ ଥରେ ଖାଇଛି ସେ କେବେ ଅନ୍ୟ ଦୋକାନକୁ ଯିବାକୁ ଇଚ୍ଛା କରିବନି। ତାଙ୍କ ଜଳଖିଆ ଦୋକାନରେ ଚଉପତି ମଣ୍ଡା, କାକରା ପିଠା, ଇଟିଲି ପିଠା, ବରା, ଆଲୁଚପ,ପୁରୀ ପ୍ରସ୍ତୁତ କରିଥାନ୍ତି। ସୋଲ ଚଉପତି ବଦଳରେ ଗ୍ରାହକମାନଙ୍କୁ କଞ୍ଚା ସାଳ ପତ୍ରରେ ପରସି ଦିଅନ୍ତି। ପାର୍ସଲ ନେଉଥିବା ଗ୍ରାହକଙ୍କୁ ପଲିଥିନ ବଦଳରେ ଠୁଙ୍ଗା ଓ ମାଟିରେ ମିଶିଯାଉଥିବା ବ୍ୟାଗ ବ୍ୟବହାର କରିଥାନ୍ତି। ତାଙ୍କ ଜଳଖିଆ ଦୋକାନରୁ ଦୈନିକ ୫ଶହରୁ ୭ଶହ ରୋଜଗାର ହୁଏ।

ଅଖା ପାଖରେ ୮ରୁ୧୦ଟି ଜଳଖିଆ ଦୋକାନ ରହିଛି। ତଥାପି ରଶ୍ମିତାଙ୍କ ଜଳଖିଆ ଦୋକାନର କାକରା ପିଠା ଓ ଚଉପତି ମଣ୍ଡାର ଚାହିଦା ଅଧିକ ରହିଛି। ଏହାକୁ ନେଇ କିଛି ଦୋକାନୀ କୁହନ୍ତି ଝିଅପିଲାଟେ ହୋଇ ଭଲ ବ୍ୟବସାୟ କରୁଛି ବୋଲି ଇର୍ଷା ମଧ୍ୟ କରିଥାନ୍ତି। ରଶ୍ମିତାଙ୍କ କହିବା ଅନୁଯାଇ ଅନ୍ୟ ଜଳଖିଆ ଦୋକାନୀଙ୍କ ଶହ ପ୍ରତିଦ୍ଵନ୍ଦି କରେ ନାହିଁ କି ମୋ ଜଳଖିଆ ତିଆରି କରିବାରେ କୌଣସି କ୍ୱାଲିଟି କିମ୍ବା କ୍ୱାଣ୍ଟିଟିରେ କମ କରେ ନାହିଁ ଯାହା ଫଳରେ ଗ୍ରାହକ ଥରେ ଆସିଲେ ଅନ୍ୟତ୍ର ଜଳଖିଆ ଦୋକାନକୁ ଯାଆନ୍ତି ନାହିଁ।

ରଶ୍ମିତା ଆଜକୁ ୫ବର୍ଷ ହେବ ବରା ତିଆରି କରିବା ଜାଣିଛନ୍ତି। ବାପା ଦୋକାନ ଚଳାଉ ଥିବା ବେଳେ ପିଲା ଓ ମିସ୍ତ୍ରୀଙ୍କ ଠାରୁ ବରା ତିଆରି କରିବା କାମ ଶିଖି ଥିଲି ବୋଲି ସେ କୁହନ୍ତି। ବାପାଙ୍କ ମୃତୁ ପରେ ମିସ୍ତ୍ରୀ ଓ ପିଲାଙ୍କୁ ନେଇ ଦୋକାନ ଚଳାଉଥିଲେ। ହେଲେ ମିସ୍ତ୍ରୀ ଓ ପିଲା ନଆସି ହଇରାଣ କଲା ପରେ ନିଜେ ଦୋକାନ ସମ୍ଭାଳିବା ସହ ଜଳଖିଆ ତିଆରି କରିବା ଭାର ଆପଣାଇଥିଲେ। ରଶ୍ମିତା ନାରୀ ହୋଇଥିଲେ ମଧ୍ୟ ଦୋକାନ ଖୋଲିବା ଦିନଠାରୁ ପୁଅପିଲାଙ୍କ ଭଳି ପ୍ୟାଣ୍ଟ ଓ ଟିସାର୍ଟ ଜୋତା ପିନ୍ଧିଥାନ୍ତି ଓ ତାଙ୍କ ହେୟାର ଷ୍ଟାଇଲ ମଧ୍ୟ ପୁଅଙ୍କ ଭଳି। ପିଲାଟି ଦିନରୁ ସେ ଏଭଳି ଚଳି ଆସିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଅନଗୁଳ ମହିଳାମହାବିଦ୍ୟାଳୟ ରେ +୨ କଳାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଆର୍ଥିକ ଅନାଟନ ଯୋଗୁଁ ତାଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଥିଲା।

ରଶ୍ମିତାଙ୍କ ମତାମତ-

ଯାହାର ଅସୁବିଧା ନାହିଁ ସେ ବାହାରକୁ ବାହାରିବା ଆବଶ୍ୟକତା ନଥାଏ। କିନ୍ତୁ ଯାହାର ଅସୁବିଧା ଅଛି ସେ ଭାଙ୍ଗିନପଡ଼ି ନିଜ ଗୋଡ଼ରେ ଛିଡା ହୋଇ ନାରୀ କେବେ ହାରିପାରିବ ନାହିଁ ବୋଲି ସମାଜକୁ ଦେଖାଇ ଦେବା ଉଚିତ। ସାନଙ୍କୁ ସ୍ନେହ ଓ ବଡ଼ଙ୍କୁ ଗୁରୁଜନ ଭଳି ଓ ସାଙ୍ଗ ସାଥିଙ୍କୁ ସାଙ୍ଗ ଭଳି ବ୍ୟବହାର ଦେଲେ କେବେବି ନାରୀ ଅସୁରକ୍ଷିତ ରହିବେ ନାହିଁ ବୋଲି କହିଛନ୍ତି।

ମହିଳାମାନେ ସର୍ବଦା ସୁରକ୍ଷିତ। ରାଜ୍ୟ ସରକାର ମଧ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ତି। କିନ୍ତୁ ନାରୀ ନିଜର ଭୁଲ ପାଇଁ ଆଜି ଆସୁରଖିତ ମଣୁଛନ୍ତି। ଝିଅର ଚାଲି ଚଳଣି ଓ ରଙ୍ଗ ଢଙ୍ଗକୁ ଅନୁକରଣ କରି ଗୋଟିଏ ପୁଅ ଆକର୍ଷଣ ହୁଏ। ପୁଅପିଲା ପ୍ରଥମେ ଖରାପ ଆଚରଣ ପ୍ରଦର୍ଶନ କରେ ନାହିଁ। ଯଦି ଝିଅ ସୁଯୋଗ ଦିଏ, ତେବେ ଝିଅ ଅସୁରକ୍ଷିତ ହୁଅନ୍ତି। ଯାହା ମୁଁ ୧୦ବର୍ଷ ହେଲା ଏ ଜଳଖିଆ ଦୋକାନରେ ଥାଇ ଅନୁଭବ କରିଛି।

ଗ୍ରାହକଙ୍କ ପ୍ରତିକ୍ରିୟା

ଅନଗୁଳ ପିଡବ୍ଲ୍ୟଡି କାର୍ଯ୍ୟାଳୟରେ କାର୍ଯ୍ୟରତ ଦୀନବନ୍ଧୁ ଅମାନ୍ତ କୁହନ୍ତି ଆଜକୁ ପ୍ରାୟ ୧୫ବର୍ଷ ହେବ ଏହି ଜଳଖିଆ ଦୋକାନ ସହ ଜଡିତ ଅଛନ୍ତି। କାକରା ପିଠା ସବୁଠାରୁ ଅଧିକ ଚାହିଦା ରହିଛି। ଭଲ ବିରିରେ ବରା ତିଆରି କରନ୍ତି ଚାଉଳ, ସୁଜି ଆଦି ମିଶାନ୍ତି ନାହିଁ। ଗ୍ରାହକଙ୍କ ସହ ଉତ୍ତମ ବ୍ୟବହାର କରିବା ଯୋଗୁଁ ଆଜି ମୁଁ ଏ ବରା ଦୋକାନକୁ ଛାଡି ଅନ୍ୟତ୍ର ଯାଇନାହିଁ ବୋଲି ସେ କୁହନ୍ତି।

ସମ୍ବନ୍ଧିତ ଖବର