ରାୟଗଡ଼ାରେ କେବେ ଖୋଲିବ ମହିଳା ଥାନା ?

ବଢ଼ି ଚାଲିଛି ହିଂସା, ବର୍ଷକୁ ୨୦୦ରୁ ଉର୍ଧ୍ବ ମାମଲା

ରାୟଗଡ଼ା : ରାୟଗଡ଼ାରେ ବଢ଼ି ଚାଲିଛି ଘରୋଇ ହିଂସା। ବର୍ଷକୁ ୨୦୦ରୁ ଉର୍ଧ୍ବ ମହିଳା ନିର୍ଯ୍ୟାତନା ଓ ଘରୋଇ ହିଂସା ସଂପର୍କିତ ମାମଲା ରାୟଗଡ଼ା ଥାନାରେ ରୁଜୁ ହେଉଛି। ହେଲେ ସରକାର ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାର ସଦର ମହକୁମାରେ ମହିଳା ଥାନା ଖୋଲିବା ଦିଗରେ ପଦ‌କ୍ଷେପ ନେଉନାହାନ୍ତି। ରାୟଗଡ଼ା ଥାନାର ମହିଳା ଓ ଶିଶୁ ଡେସ୍କ ଦ୍ବାରା ହିଂସା ଓ ନିର୍ଯ୍ୟାତନା ମାମଲାର ତଦନ୍ତ କରାଯାଉଥିବାରୁ ଠିକ୍ ସମୟରେ ନ୍ୟାୟ ମିଳୁନଥିବା ବିଜେପି ମହିଳା ମ‌ୋର୍ଚ୍ଚା ଅଭିଯୋଗ କରିଛି।

ରାୟଗଡ଼ା ଥାନା ଅଧୀନରେ ରାୟଗଡ଼ା ପୌର ପରିଷଦ ସହ ରାୟଗଡ଼ା ବ୍ଲକର ୭ଟି ପଞ୍ଚାୟତ ରହିଛି। ୧ ଲକ୍ଷ ୧୨ ହଜାର ଲୋକଙ୍କ ପାଇଁ ମାତ୍ର ଗୋଟିଏ ଥାନା ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ପୁଲିସକୁ ନାକେଦମ୍ ହେବାକୁ ପଡୁଛି। ବ୍ଲକ୍ ଓ ସହରାଞ୍ଚଳରେ ମହିଳାଙ୍କ ଶିକ୍ଷା ହାର୍ ୪୦ ପ୍ରତିଶତ ତଳେ ଥିବାରୁ ଅନ୍ଧବିଶ୍ବାସ, ଗୁଣି ଗାରେଡ଼ି, ଯୌତୁକ ନିର୍ଯ୍ୟାତନା, ପ୍ରେମ ବ୍ୟାପରକୁ ନେଇ ପ୍ରତି ବର୍ଷ ଥାନାରେ ବଢ଼ି ଚାଲିଛି ମାମଲା ସଂଖ୍ୟା। ରୁଜୁ ହେଉଥିବା ମାମଲାର ପରିଚାଳନା ଓ ତଦନ୍ତ ପାଇଁ ସ୍ବତନ୍ତ୍ର ମହିଳା ଥାନା କିମ୍ବା ଅଧିକାରୀ ନଥିବାରୁ ତଦନ୍ତରେ ଅହେତୁକ ବିଳମ୍ବ ହେଉଛି। ଯେଉଁଥି ପାଇଁ ବହୁ ମାମଲାର ଅଭିଯୁକ୍ତ ଗିରଫ ପୂର୍ବରୁ ପୁଲିସ୍ କବଜାରୁ ଖସି ଯାଉଥିବା ବେଳେ ପୀଡ଼ିତା ଓ ଅଭିଯୋଗକାରୀଙ୍କୁ ଠିକ୍ ସମୟରେ ନ୍ୟାୟ ମିଳୁନି। ମହିଳା, ଶିଶୁ ଡେସ୍କ ଦାୟିତ୍ବରେ ଜଣେ ମାତ୍ର ମହିଳା ଏସଆଇ ଥିବାବେଳେ ଗୁରୁତ୍ବପୂର୍ଣ୍ଣ ମାମଲା ଦେଖି ଅନ୍ୟ ଅଧିକାରୀଙ୍କୁ ତଦନ୍ତ ପାଇଁ ଥାନା ଅଧିକାରୀ ନିର୍ଦେଶ ଦେଇଥାନ୍ତି। ବର୍ଷକୁ ରାୟଗଡ଼ାରେ ଥାନାରେ ୪୦୦ରୁ ଉର୍ଧ୍ବ ମାମଲା ରୁଜୁ ହେଉଥିବା ବେଳେ ୫୦ରୁ ୬୦ ପ୍ରତିଶତ କେବଳ ଘରୋଇ ହିଂସା ଓ ନିର୍ଯ୍ୟାତନା ସଂପର୍କିତ ବୋଲି ଜଣା ପଡିଛି। ଏହି ଦୃଷ୍ଟିରୁ ରାୟଗଡ଼ାରେ ମହିଳା ଥାନା ପ୍ରତିଷ୍ଠାର ଯଥାର୍ଥତା ରହିଛି ବୋଲି ଏସପି ବିବେକାନନ୍ଦ ଶର୍ମାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛି ରାୟଗଡ଼ା ବିଜେପିର ମହିଳା ମୋର୍ଚ୍ଚା ଟିମ୍।

ଦୈନନ୍ଦିନ ଜିଲ୍ଲାପାଳ, ଏସପି ଅଫିସ୍, ସରକାରୀ କାର୍ଯ୍ୟାଳୟ, ସ୍କୁଲ୍, କଲେଜ ସହ ବେସରକାରୀ ଅନୁଷ୍ଠାନର ସୁରକ୍ଷା ଦାୟିତ୍ବ ସହ ଟ୍ରାଫିକ୍ ପରିଚାଳନା, ଚୋରି, ଡକାୟତି ରୋକିବାକୁ ପେଟ୍ରୋଲିଂ ଭଳି ଗୁରୁ ଦାୟିତ୍ବ ତୁଲାଇ ଆସୁଛି ରାୟଗଡ଼ା ପୁଲିସ୍। ଅଥଚ ଆଜି ସୁଦ୍ଧା ଜିଲ୍ଲା ସଦର ମହକୁମାରେ ସଦର କିମ୍ବା ମହିଳା ଥାନା ପ୍ରତିଷ୍ଠା ଦିଗରେ ସରକାର ତତ୍ପରତା ପ୍ରକାଶ କରୁନାହାନ୍ତି। ଏକ ମାତ୍ର ରାୟଗଡ଼ା ଥାନା ଉପରେ ୭ ପଞ୍ଚାୟତ ଓ ସହରର ୨୪ଟି ୱାର୍ଡ ନିର୍ଭର କରୁଥିବାରୁ ପୁଲିସକୁ ନାକେଦମ୍ ହେବାକୁ ପଡୁଛି। ସହରରୁ ୧୨ କିମି ଦୂରରେ ଚାନ୍ଦିଲି ଥାନା ଏବଂ ୨୦ କିମି ଦୂରରେ ରହିଛି ଶେଷଖାଲ ଥାନା। ଦୁଇ ଥାନା ଅଧୀନରେ ରାୟଗଡ଼ା ଓ କୋଲନରା ବ୍ଲକର ଗ୍ରାମାଞ୍ଚଳ ଓ ପଞ୍ଚାୟତ ରହିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ନିର୍ଯ୍ୟାତନା ମାମଲା ବଢ଼ି ଚାଲିଥିବାରୁ ତୁରନ୍ତ ମହିଳା ଥାନା ପ୍ରତିଷ୍ଠା ପାଇଁ ବିଜେପି ନଗର ସଭାପତି ଶ୍ୟାମ ଦାଶଙ୍କ ନେତୃତ୍ବରେ ଏସପିଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେପି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡ଼ି ଲକ୍ଷ୍ମୀ, ସାଧାରଣ ସଂପାଦିକା ଶର୍ମିଷ୍ଠା ପାଇକରାୟ, ଉପସଭାନେତ୍ରୀ ସୀମା ଉପାଧ୍ୟାୟ, ମଞ୍ଜୁଳା ମିଣିଆକା, ଝରଣା ରାଣୀ।

ସମ୍ବନ୍ଧିତ ଖବର