ଦେଓଗାଁ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ଧ୍ୱଂସ ଘଟଣା: କାଠ ସାଙ୍ଗକୁ ମୟୂର, ଶୁଆ ବି ଚୋରା ଚାଲାଣ, ଜବତ ଶୁଆ କେଉଁଠି?

ଦେଓଗାଁ: ଜଙ୍ଗଲ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଉଜୁଡ଼ି ଯାଉଛି ସଂରକ୍ଷିତ ଜଙ୍ଗଲ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଞ୍ଜ ବନ୍ଧପଡ଼ା ସେକ୍ସନରେ କିପରି ଚାଲିଛି ଜଙ୍ଗଲ ସୁରକ୍ଷା ତାକୁ ନେଇ ‘ସମ୍ବାଦ’ କରିଥିଲା ଅନୁସନ୍ଧାନ। ଗତ ଦୁଇଦିନ ଧରି କାଠ ଚୋରା ଚାଲାଣର ଭିତିରି କଥାକୁ ନେଇ ଖବର ପ୍ରକାଶ ପାଇବା ପରେ ଆଉ ଏକ ସାଂଘାତିକ ତଥ୍ୟ ସମ୍ନାକୁ ଆସିଛି। ଏଠାରୁ ବନ ବିଭାଗ କର୍ମଚାରୀଙ୍କ ଜାଣତରେ ମୟୂର ଓ ଶୁଆ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଛି। ମୟୂର ଗୋଟାକୁ ୩ ହଜାର ଟଙ୍କା ଓ ମିଟୁ ଗୋଟାକୁ ହାଜରେ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ପାଟଣାଗଡ଼ ଓ ସଇନ୍ତଳା ରେଞ୍ଜ ଅଧୀନରେ ରହିଛି। କରମତଲା ଫରେଷ୍ଟ ସେକ୍ସନର ଜୁରାବନ୍ଧ, ପର୍ଣ୍ଣିପିଟା, କେଉଁମାଲ, ବନ୍ଧପଡ଼ା ସେକ୍ସନର ବରଘାଟି, କୁବୁରୀମହୁଲ, ଦେଷଣ୍ଡ ଏହି ଜଙ୍ଗଲକୁ ଲାଗିକି ରହିଛି। ଜଙ୍ଗଲଟି ଘଞ୍ଚ ହୋଇଥିବାରୁ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ବାସ କରୁଛନ୍ତି। ବିଶେଷ କରି ମୟୂର ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ହେଲେ ବନରକ୍ଷୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏହି ପକ୍ଷୀମାନେ ଲୁପ୍ତ ହେବାକୁ ବସିଲେଣି। ଜଙ୍ଗଲ ଭିତରେ ପ୍ରତିଦିନ ଶିକାରୀମାନେ ଜାଲ ବିଛାଇ ୟୂର ଓ ଶୁଆ ଧରୁଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ତଳେ ସିଂହାମୁଣ୍ଡା ଗାଁରୁ ୮ଟି ଓ ଲକ୍ଷ୍ମଣପୁର ଗାଁରୁ ୬ଟି ଶୁଆ ଜବତ କରି ବିଟ ହାଉସକୁ ନେଇଥିଲେ ଫରେଷ୍ଟର। କିନ୍ତୁ, ଏହି ଜବତ ଶୁଆ କୁଆଡ଼େ ଗଲେ ତାର କିଛି ଖୋଜ ଖବର ନାହିଁ ବନ ବିଭାଗ ପାଖରେ। ସେହିପରି ବୁଢ଼ାବାହାଲ ଗାଁର ଜଣେ ବ୍ୟକ୍ତି ଦୁଇଟି ମୟୂର ରଖିଥିଲେ। ଏ ବିଷୟରେ ଫରେଷ୍ଟର ଜାଣିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଦୁଇଟି ମୟୁରକୁ ୬ ହଜାର ଟଙ୍କାରେ ବିକ୍ରି କରିଦେଲେ ବୋଲି ଚର୍ଚ୍ଚା ହେଉଛି। ମୟୂର ଚୋରା ଚାଲାଣ ସଂପର୍କରେ ଜାଣିବାକୁ ସ୍ଥାନୀୟ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନଥିଲେ। ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃ‌ଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର