ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଚିକିଲି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଝାଲିଆଗୁଡ଼ା ବିଟରୁ ଶୁକ୍ରବାର ବନ ବିଭାଗ ୫ ଖଣ୍ଡ ବିଜା ଗଣ୍ଡି ଜବତ କରିଛି। କୌଣସି ଦୁର୍ବୃତ୍ତ ଏହି ବିଜା ଗଛ କାଟି ତାକୁ ଗଣ୍ଡି କରି ନେବା ପାଇଁ ଚେଷ୍ଟା କରି ବିଫଳ ହୋଇଛି। ଏ ନେଇ ଡାବୁଗାଁ ବନ ବିଭାଗ ଏକ ମାମଲା ରୁଜୁ କରି ବିଜା ଗଣ୍ଡି ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯାଳୟକୁ ଆଣିଛି।

Advertisment

ସୂଚନା ଅନୁଯାୟୀ ଗୁରୁବାର ରାତିରେ କୌଣସି କାଠ ଚୋର ଚିକିଲି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଝାଲିଆଗୁଡ଼ା ବିଟରେ ପଶି ୨ଟି ବଡ଼ ବଡ଼ ବିଜା ଗଛ କାଟି ତାକୁ ୫ ଖଣ୍ଡ ଗଣ୍ଡି କରିଥିଲା। ସେହି ଗଣ୍ଡିଗୁଡ଼ିକୁ ସମୟ ଉଣ୍ଡି ନେବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ଆଜି ସକାଳେ ଡାବୁଗାଁ ଝାଲିଆଗୁଡ଼ା ବିଟରେ ବନରକ୍ଷୀ କୁନ୍ତଳା କୁମାରୀ ସାବତ ସହ ପାରା ଷ୍ଟାଫ୍‌ ମହନ ଭତରା ଓ ପିକେଶ୍ୱର ବିଶ୍ୱାଳ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ମଧ୍ୟରେ ଦୁଇଟି ବିରାଟକାୟ ବିଜା ଗଛ କଟାଯାଇ ତାକୁ ୫ ଖଣ୍ଡ ଗଣ୍ଡି କରାଯାଇଥିଲା।

ସେହିଗଣ୍ଡି ଗୁଡ଼ିକର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ପେଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ବହୁମୂଲ୍ୟ ବିଜା ଗଣ୍ଡିଗୁଡ଼ିକ ଜବତ କରି ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଣି ଥିଲେ। ତେବେ ଜଙ୍ଗଲ ମଧ୍ୟରେ ଅବାଧରେ ପ୍ରବେଶ କରି ବହୁମୂଲ୍ୟ ବିଜା ଗଛ କାଟି ନେବାକୁ ଚେଷ୍ଟା କରୁଥିବା ଦୁର୍ବୃତ୍ତମାନଙ୍କୁ ବନ ବିଭାଗ ତରଫରୁ କଡ଼ା ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।